ଭଦ୍ରକ: ଧାମରା ଏୟାର ଷ୍ଟ୍ରିପ୍‌ ପାଇଁ ଜମିଖୋଜା ଆରମ୍ଭ

ଭଦ୍ରକ: ଧାମରା ବନ୍ଦର ଦିନକୁ ଦିନ ତାର କଳେବର ବୃଦ୍ଧି କରୁଥିବା ବେଳେ ଏହାକୁ ଏକ ବିଶ୍ୱସ୍ତରୀୟ ବନ୍ଦର କରିବାର ପରିକଳ୍ପନା କରାଯାଉଛି। ଆଗାମୀ ଦିନରେ ଧାମରା ଭଦ୍ରକ ଜିଲ୍ଲାର ଅର୍ଥନୈତିକ ବିକାଶର ପ୍ରାଣ କେନ୍ଦ୍ର ହେବ ବୋଲି ଚିନ୍ତା କରାଯାଉଛି। ବନ୍ଦରକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ରଖିଛନ୍ତି। ଜିଲ୍ଲାବାସୀ ମଧ୍ୟ ବନ୍ଦରକୁ ନେଇ ଅନେକ ସ୍ୱପ୍ନ ଓ ସମ୍ଭାବନାର ଦୋଛକିରେ ଛିଡା ହୋଇଛନ୍ତି। ଧାମରା ବନ୍ଦରର ଏବେ ୫ଟି ଜେଟି କାର୍ଯ୍ୟକାରୀ ହେଉଥିବା ବେଳେ ଅଗାମୀ ଦିନରେ ୩୫ ଜେଟିର ପରିକଳ୍ପନା କରାଯାଇଛି। ବନ୍ଦରକୁ ଲକ୍ଷ୍ୟ କରି ଏଠାରେ ଧାମରାରେ ଏକ ଇଣ୍ଡଷ୍ଟ୍ରିଆଲପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏଥିପାଇଁ ପ୍ରାୟ ୫୦୦ ଏକରରୁ ଉର୍ଦ୍ଧ୍ଵ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଦ୍ଵିତୀୟ ରେଳପଥ ସଂପ୍ରସାରଣ କାର୍ଯ୍ୟ ଏହା ଭିତରେ ଆରମ୍ଭ ହୋଇଯାଇଛି। ଧାମରାଠାରୁ ଭଦ୍ରକ ପର୍ଯ୍ୟନ୍ତ ଏଇ ରେଳପଥର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ଚାଲୁ ରହିଛି।

ଏବେ ସରକାର ପୁଣି ଧାମରାଠାରେ ଏକ ଏୟାର ଷ୍ଟ୍ରିପ୍‌ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏୟାର ଷ୍ଟ୍ରିପର ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି। ଧାମରା ମାଷ୍ଟର ପ୍ଲାନ ପ୍ରସ୍ତୁତ ବେଳେ ଏୟାର ଷ୍ଟ୍ରିପ୍‌ ପ୍ରତିଷ୍ଠା ନେଇ ମାଷ୍ଟର ପ୍ଲାନ୍‌ ନକ୍ସାରେ ଏରିଆ ମେପ୍‌ ଅଙ୍କା ଯାଇଛି। କେତେ ଏରିଆରେ ଓ କେଉଁ ସ୍ଥାନରେ ଏୟାର ଷ୍ଟ୍ରିପ୍‌ ପ୍ରତିଷ୍ଠା କଲେ ସବୁ ଦୃଷ୍ଟିରୁ ସୁବିଧା ହେବ ତାହାକୁ ନଜରରରେ ରଖାଯାଇ ଏରିଆ ସିଲେକ୍ସନ୍‌ କରାଯାଇଛି।

୨୦୪୦ ମସିହା ପର୍ଯ୍ୟନ୍ତ ବିକାଶର ଧାରାକୁ ନଜରରେ ରଖାଯାଇ ଏପରି ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ବେଳେ ଏୟାର ଷ୍ଟ୍ରିପ୍‌ର ରୂପରେଖ କିଭଳି ହେବ ଓ କେତେ ଟଙ୍କାର ବ୍ୟୟ ଅଟକଳ କରାଯାଇ ଏହା ନିର୍ମାଣ କରାଯିବ ତାହା ଉପରେ ମଧ୍ୟ ଯୋଜନା ପ୍ରସ୍ତୁତ ବେଳେ ଆଲୋଚନା କରାଯାଇଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ବାସୁଦେବପୁରଠାରୁ ୨୫ କିଲୋ ମିଟର ଦୂର ଓ ଧାମରା ଠାରୁ ୧୮ କିଲୋମିଟର ଦୂରବର୍ତ୍ତୀ ସ୍ଥାନ ବାଲିମୁଣ୍ଡାଠାରେ ହେବ ଏୟାର ଷ୍ଟ୍ରିପ୍‌। ଏଇ ପ୍ରସ୍ତାବିତ ଜାଗାରେ ଏୟାର ଷ୍ଟ୍ରିପ୍‌ କରାଗଲା ସବୁ ଆଡକୁ ସୁବିଧା ହୋଇ ପରିବ ବୋଲି ଆକଳନ କରାଯାଇଛି। ବିଶେଷକରି ବାଲିମୁଣ୍ଡା ରାଜସ୍ୱ ଗ୍ରାମ, ନନ୍ଦପାଟଣା ରାଜସ୍ୱ ଗ୍ରାମ ଓ ବଡହାବେଳି ସାହି ରାଜସ୍ୱ ଗ୍ରାମକୁ ନେଇ ଏରିଆ ପ୍ଲାନ୍‌ କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ଏଇ ୩ ଟି ରାଜସ୍ୱ ଗ୍ରାମରେ ଥିବା ୨୭୫ ଏକର ଜମିକୁ ଅଧିଗ୍ରହଣ କରାଯିବ। ଏଥିରେ ସରକାରୀ ଜମି ଓ ୨୦ ଏକର ବେସରକାରୀ ଜମି ମଧ୍ୟ ଅଧିଗ୍ରହଣ କରାଯିବ ବୋଲି ପ୍ରସ୍ଥାବ ରହିଛି। ଏଇ ୩ ଟି ରାଜସ୍ୱ ଗ୍ରାମ ପରେ ଆବଶ୍ୟକ ପଡିଲେ ଆଖ ପାଖ ଅଞ୍ଚଳର ଥିବା ସରକାରୀ ଜମି ଓ ବେସରକାରୀ ଜମି ମଧ୍ୟ ଅଧିଗ୍ରହଣ କରାଯିବ। ଜମି ଅଧିଗ୍ରହଣ କିଭଳି ହେବ ଓ ଏହାର ପ୍ରକ୍ରିୟା କେବେଠାରୁ ଆରମ୍ଭ କରାଯିବ ସେସବୁ ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି।

ଗତ ଜୁନ୍‌ ମାସ ୨୯ରେ ଏଇ ସବୁ ପ୍ରସ୍ତାବକୁ ନେଇ ଏବ ବୈଠକ ଭୁବନେଶ୍ୱରଠାରେ କରାଯାଇଥିଲା। ଯେଉଁ ବୈଠକରେ ଡିପିସିଲ ବନ୍ଦର କମ୍ପାନିର ଉଚ୍ଚ କର୍ତ୍ତୃପକ୍ଷ, ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ବୈଠକ କରାଯାଇଥିଲା।

ଧାମରା ବନ୍ଦର ଅଞ୍ଚଳର ପାରିପାର୍ଶ୍ଵିକ ବିକାଶ କଥା ମଧ୍ୟ ଏଇ ଆଲୋଚନାର ପ୍ରସଙ୍ଗରେ ସ୍ଥାନ ପାଇଥିଲା। ଧାମରା ଏୟାର ଷ୍ଟ୍ରିପ୍‌ ହେବା ପାଇଁ ବ୍ଲୁପ୍ରିଣ୍ଟରେ ଯେଉଁସବୁ ପ୍ରସ୍ତାବ ରଖାଯାଇଛି ତାହାକ ଯେଭଳି କାର୍ଯ୍ୟକାରୀ କରାଯିବ ସେ ଦିଗରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବାର ଆବଶ୍ୟକତା ରହିଛି। ଜମି ଅଧିଗ୍ରହଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ପ୍ରମୁଖ ସହଯୋଗ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ପୁଂଜି ନିବେଶ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଧାମରା ଏୟାର ଷ୍ଟ୍ରିପ୍‌ ନିର୍ମାଣ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିବା ଦରକାର ବୋଲି ବୈଠକର ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର