ଧନତେରାସ୍‌: ସୁନା କିଣିବାକୁ ଦୋକାନରେ ଭିଡ଼

ରାଉରକେଲା: ଆଜି ଥିଲା ଧନତେରାସ୍‌। ଏହି ଦିନ ସୁନା, ରୁପା, କଂସାବାସନ ଆଦି ସାମଗ୍ରୀ କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି। ଏଥିସହ ବର୍ଷ ସାରାଶୁଭ ଫଳ ମିଳିଥାଏ। ମହାମାରୀ କରୋନା ସତ୍ତ୍ବେ ବେଶ୍ ଚଳଚଞ୍ଚଳ ହୋଇଥିଲା ସ୍ମାର୍ଟ ସିଟି। ମିନି ଇଣ୍ଡିଆ ରାଉରକେଲାରେ ଦେଶର ବିଭିନ୍ନ ଅଞ୍ଚଳର ଲୋକ ବସବାସ କରୁଥିବାରୁ ସୁନା ଓ ରୁପା ଗହଣା କିଣିବାକୁ ସେମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସହରରେ ଗହଣା ଦୋକାନ, ଗହଣା ସୋ’ରୁମ୍ ଗୁଡ଼ିକରେ କାରବାର ବେଶ୍ ଜମିଥିଲା। ଗତକାଲିଠାରୁ ଆଜି ସୁନା ଦୋକାନ ଗୁଡ଼ିକରେ ବେଶ୍ ଗହଳି ଦେଖିବାକୁ ମିଳିଥିଲା।

ସାମାଜିକ ଦୂରତା ବଜାୟ ରଖି ଗ୍ରାହକମାନେ ନିଜ ମନପସନ୍ଦନର ସୁନାଗହଣା କିଣି ନେଇଥିଲେ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଧନୀଶ୍ରେଣୀର ଅନେକ ପରିବାର ନିଜ ବଜେଟ୍ ଅନୁଯାୟୀ ମନପସନ୍ଦର ସୁନା, ରୁପା ଅଳଙ୍କାର କିଣୁଥିବା ଦେଖିବାକୁ ମିଳିଥିଲା। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୁନା ବ୍ୟବସାୟୀମାନେ ନୂତନ ଡିଜାଇନ୍‌ ସୁନା, ରୁପା ଅଳଙ୍କାର, ସୁନାରୁପା ମୁଦ୍ରା, ଲକ୍ଷ୍ମୀ ଓ ଗଣେଶ ଆଦି ମୂର୍ତ୍ତି ଗୁଡ଼ିକ କିଣା ଉପରେ ଆକର୍ଷଣୀୟ ଅଫର୍‌ ରଖିଛନ୍ତି। ତେଣୁ ଅଳଙ୍କାର କିଣିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ସହରର ଉଦିତନଗର, ପାନପୋଷ, ଇସ୍ପାତ ମାର୍କେଟ, ସେକ୍ଟର-୫ ଭିଆଇପି ମାର୍କେଟ, କୋଏଲନଗର ଏନ୍ଏସି ମାର୍କେଟ, ଫର୍ଟିଲାଇଜର, ବେଦବ୍ୟାସ ଆଦି ଜୁଏଲାରୀ ସୋ’ରୁମ୍ ଓ ଦୋକାନଗୁଡ଼ିକରେ ବେଶ୍ ଭିଡ ଜମିଥିଲା।

ବିଶେଷ କରି ରାଉରକେଲା ମୁଖ୍ୟମାର୍କେଟର ଖେମ୍‌ଜି, ତନିସ୍କ, ପ୍ରସାଦ ଜୁଏଲରର୍ସ, ଏମ୍ଏନ୍ ଆଣ୍ଡ ସନ୍ସ, ଏମ୍.ଏନ୍. ଅଳଙ୍କାର ପ୍ୟାଲେସ୍, ଏମ୍ଏନ୍ ଜୁଏଲାରୀ, ପ୍ରସାଦ ଅଳଙ୍କାର ଜୁଏଲର୍, ଜୟହିନ୍ଦ୍ ଆଣ୍ଡ ସନ୍ସ ଜୁଏଲରର୍ସ, ସେକ୍ଟର-୫ ଭିଆଇପି ମାର୍କେଟର ଧରମନାଥ ପ୍ରସାଦ ଜାଭେରୀ ଆଣ୍ଡ ସନ୍ସ ଜୁଏଲର୍ସ (ଡିଏନ୍‌ଜେଡ୍‌), ଇସ୍ପାତ ମାର୍କେଟର ପ୍ରସାଦ ଆଣ୍ଡ ସନ୍ସ, ଫର୍ଟିଲାଇଜର ପ୍ରସାଦ ଜାଭେରି ଆଣ୍ଡ ସନ୍ସ, ଆଦି ଅଳଙ୍କାର ସୋ’ରୁମ୍‌ ଗ୍ରାହକଙ୍କ ପ୍ରବଳ ଭିଡ ହୋଇଥିଲା। ବ୍ୟବସାୟୀମାନେ ମେକିଂ ଚାର୍ଜ ଠାରୁ କିଣା ଦାମ୍ ଉପରେ ସ୍ବତନ୍ତ୍ର ରିହାତି ରଖିଛନ୍ତି। କାରବାର ବେଶ୍‌ ଭଲ ହୋଇଥିବାରୁ ସୁନା ବ୍ୟବସାୟୀମାନେ ବେଶ୍‌ ଖୁସି ଅଛନ୍ତି। ସୁନା ଦୋକାନ ପରି କଂସାବାସନ ଦୋକାନ ମଧ୍ୟ ଅନୁରୂପ ଭିଡ ପରିଲକ୍ଷିତ ହୋଇଥିଲା। ଉଦିତନଗରସ୍ଥିତ ୟୁନିଟେକ୍ ସୋ’ରୁମ୍‌ ମଧ୍ୟ ଧନତେରାସ୍‌ ଓ ଦିପାବଳୀ ପାଇଁ କମ୍ପୁଟର, ଲାପଟପ୍ ସମେତ ଅନ୍ୟାନ୍ୟ ସାମଗ୍ରୀ କିଣା ଉପରେ ସ୍ବତନ୍ତ୍ର ଅଫର୍ ରଖିଛନ୍ତି।

ସମ୍ବନ୍ଧିତ ଖବର