ଜୟପୁରରେ ବଢୁଛି ଗଞ୍ଜାମ ଧନୁମୁଆଁରେ ଚାହିଦା
ଜୟପୁର: ଆସନ୍ତାକାଲି ଧନୁ ସଂକ୍ରାନ୍ତି। ଆମ ରାଜ୍ୟରେ ଖାସ କରି ଦକ୍ଷିଣ ଓଡ଼ିଶାରେ ଶ୍ରଦ୍ଧା ଓ ଭକ୍ତିର ସହିତ ଧନୁ ସଂକ୍ରାନ୍ତି ପାଳନ କରାଯାଏ। ଆଉ ଧନୁ ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ ଧନୁ ମୁଆଁ। ପରମ୍ପରା ଅନୁସାରେ ଘିଅ, ଚିନି, ଲିଆ ଓ ନଡ଼ିଆ ପାତିରେ ତିଆରି ହେଉଥିବା ଏହି ମୁଆଁକୁ ଧନୁ ସଂକ୍ରାନ୍ତି ଦିନ ଅଧିଷ୍ଟାତ୍ରୀ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ। ସମସ୍ତେ ଏହି ଭୋଗ ପାଆନ୍ତି ଏବଂ ବନ୍ଧୁ ବାନ୍ଧବଙ୍କ ଘରକୁ ମଧ୍ୟ ମୁଆଁ ପଠାଯାଇଥାଏ। ଆମ ଓଡ଼ିଆ ପରମ୍ପରାରେ ବିଶେଷ କରି କରି ବାହା ହୋଇଥିବା ଝିଅ ଘରକୁ ମୁଆଁ ଭାର ପଠାଯାଏ। ଧନୁ ସଂକ୍ରାନ୍ତି ପୂର୍ବରୁ ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ବଜାରରେ ବିଭିନ୍ନ ପ୍ରକାରର ମୁଆଁ ମିଳିଥାଏ। ଏବେ ସହର ବଜାର ସବୁଠି ଧନୁ ମୁଆଁ ବିକ୍ରି ଆରମ୍ଭ ହୋଇଯାଇଥାଏ। କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଛାଇଯାଇଛି ବ୍ରହ୍ମପୁରରୁ ଆସିଥିବା ଧନୁ ମୁଆଁ। ଏହି ମୁଆଁ ମଧ୍ୟରେ ରହିଛି ନବାତ ମୁଆଁ, ନଡିଆ ମୁଆଁ, ଘିଅ ମୁଆଁ, ଚିନି ମୁଆଁ, କାଜୁ ମୁଆଁ ଭଳି ବିଭିନ୍ନ ମୁଆଁ।
Sambad is now on WhatsApp
Join and get latest news updates delivered to you via WhatsApp
୨୦ ଟଙ୍କା ଟାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ୟ୍ୟନ୍ତ ମୁଆଁର ମୂଲ୍ୟ ରହିଥିବାବେଳେ ପ୍ରତିଦିନ ବ୍ରହ୍ମପୁରରୁ ଏହି ମୁଆଁ କୋରାପୁଟ ଜିଲ୍ଲାର ବିଭିନ୍ନ ସହରକୁ ଆସୁଥିବା କହିଛନ୍ତି ବ୍ୟବସାୟୀ ତେବେ ଖାଲି ଯେ ଏହି ମୁଆଁ କୋରାପୁଟରେ ପ୍ରସିଦ୍ଧି ଲାଭ କରିଛି ତାହା ନୁହେଁ ତାହା ରାଜ୍ୟ ବିଭିନ୍ନ ଦେବୀ ପୀଠରେ ପହିଲି ଭୋଗ ହୁଏ। ଚିନି, ଦେଶୀ ଘିଅ, କାଜୁ ବାଦାମ ଓ ଅନ୍ୟ ଉପାଦାନ ଗୁଡ଼ିକର ଦରଦାମ ବୃଦ୍ଧି ଫଳରେ ମୁଆଁର ମୂଲ୍ୟ ବଢ଼ିଛି ଯାହା ଏବେ କିଲୋ ପ୍ରତି ୮୦ରୁ ୪୦୦ ଟଙ୍କା ଛୁଇଁଛି। ବଦଳୁଥିବା ସମୟରେ ଧନୁମୁଆଁ ଲୋକପ୍ରିୟ ଓଡ଼ିଆ ମୁଆଁ ମର୍ୟ୍ୟଦା ପାଇବା ସହ ଏହାର ଚାହିଦା ମଧ୍ୟ ଆଶାତୀତ ଭାବେ ବଢ଼ିଛି। ଧନୁ ସଂକ୍ରାନ୍ତିର ମୁଆଁ ଭୋଗ ପାଇଁ ପ୍ରସିଦ୍ଧି ଲାଭ କରିଛି। ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କଠୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ। ଘରକୁ ଘର ମୁଆଁ ଦିଆନିଆ ହୁଏ। ମନ୍ଦିର ପୂଜକ ମୁଆଁ ପୂଜାକରି ଘରେ ଘରେ ବାଣ୍ଟନ୍ତି। ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡ଼ା’ ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ଵ । ଧନୁ ମୁଆଁ ପାଇଁ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରସିଦ୍ଧ।
ଦେଶୀ ଘିଅ, ଗୁଡ଼ କିମ୍ବା ଚିନି ଶିରା, ଉଖୁଡା(ଲିଆ), ନଡ଼ିଆ ପାତି, କାଜୁ ବାଦାମ, ଚିନା ବାଦାମ, ଅଳେଇଚ ଲବଙ୍ଗ ଆଦି ସ୍ୱାଦଷ୍ଟ ମସଲାରେ ପ୍ରସ୍ତୁତ ହୁଏ ଧନୁ ମୁଆଁ ।ତେବେ ପିଢ଼ି ପରେ ପିଢ଼ି ପ୍ରଚୁର ଆଖୁ ଚାଷ ହେଉଛି ଗଞ୍ଜାମର ଆସିକା ଅଞ୍ଚଳରେ। ତେଣୁ ଧନୁ ମୁଆଁ ପାଇଁ ଦରକାରୀ ଗୁଡ଼ କିମ୍ବା ଚିନି ପାଇଁ ମୁଖ୍ୟ ଉତ୍ସ ପାଲଟିଛି ଆସିକା। ଅନେକ ଧୁଣୀର ମୁଆଁ କାରୀଗର ଆସିକାରେ ଦେଖିବାକୁ ମିଳନ୍ତି। ବର୍ଷକେ ତିନିମାସ ପାଇଁ ହେଲେ ବି ମୁଆଁ ତିଆରି ସେମାନଙ୍କ କୌଳିକ ବୃତ୍ତି। ପୂର୍ବରୁ ଧନୁମୁଆଁ ଗୁଡ଼ରେ ପ୍ରସ୍ତୁତ ହେଉଥିଲା। ବ୍ରିଟିଶ ଅମଳରେ ରାଜ୍ୟର ପ୍ରଥମ ଚିନିକଳ ୧୮୨୪ ମସିହାରେ ଆସିକାଠାରେ ସ୍ଥାପିତ ହେବା ପରେ ଗୁଡ଼ ବଦଳରେ ଚିନିର ପ୍ରୟୋଗ ଆରମ୍ଭ କରିଥିଲେ ଆସିକାର କାରୀଗରମାନେ। କହିବାକୁ ଗଲେ ଆସିକା ଚିନିକଳ ମୁଆଁ ପ୍ରସ୍ତୁତିକୁ ଭିନ୍ନ ରୂପ ଦେଇଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସ ଓ ଟ୍ରେନ ଯୋଗେଁ ଏହି କାରବାର କରି ଆର୍ଥିକ ସ୍ବଚ୍ଛଳତା ହାସଲ କରିଛନ୍ତି।
ବିକ୍ରିବଟା ପାଇଁ କାରିଗର ବିଶେଷ ଧ୍ୟାନ ଦିଆଯାଉଥିବାବେଳେ ସ୍ଥାନୀୟ ବଜାରରେ ବଡ଼ ଧରଣର ବ୍ୟବସାୟ ହୁଏ। କିନ୍ତୁ ସେଠାରେ ପ୍ରତିଯୋଗିତା ଅଧିକ ହୋଇଥିବାର କୁଇଣ୍ଟାଲ କୁଇଣ୍ଟାଲ ମୁଆଁ ସମଗ୍ର ଓଡ଼ିଶା ଓ ଓଡ଼ିଶା ବାହାରକୁ ରପ୍ତାନି ହୋଇଥାଏ। ବଡ଼ ଦୁଃଖର କଥା ପଶ୍ଚିମବଙ୍ଗର ଜୟନଗର ମୁଆଁ, ଏକ ସାଧାରଣ ମୁଆଁଟିଏ ହୋଇ ଜିଆଇ (ଭୌଗଳିକ ସ୍ଥାନ ଚିହ୍ନଟ ) ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶା ତରଫରୁ ଧନୁମୁଆଁର ଜିଆଇ ଟାଗ ପାଇଁ କୌଣସି ପ୍ରୟାସ କରାଯାଇନାହିଁ। ଜିଆଇ ଟାଗ ମିଳିଲେ ସମଗ୍ର ଭାରତରେ ଧନୁମୁଆଁ ପରିଚିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି। ଏନେଇ ବ୍ୟବସାୟୀ ବୁଲୁ ସାହୁ କହିଛନ୍ତି ଯେ ଗଞ୍ଜାମର ଆସିକାରୁ ପ୍ରାୟତଃ ଧନୁ ମୁଆଁ ଜୟପୁରକୁ ଆସିଥାଏ। ମାତ୍ର କିଛି ଟଙ୍କାର ଲାଭ ରଖି ବ୍ୟବସାୟ କରାଯାଉଛି। ଯେଉଁଦିନ ଅଗ୍ରିମଦିଆଯିବ ତାହାର ତିନି ଦିନ ମଦ୍ୟରେ ଜୟପୁରରେ ବସ ଯୋଗେ ପହଞ୍ଚି ଯାଉଛି। ତେବେ ଜୟପୁରରେ ମୋ ବାପା ଧନୁମୁଆଁ ତିଆରି କରୁଥିଲେ। ତାଙ୍କ ଅନ୍ତେ ଆମେ କରୁଛୁ ସତ କିନ୍ତୁ ତାଙ୍କ ପରି ମୁଆଁ ପାଗ ହେଉ ନାହିଁ ବୋଲି ସେ କହିଛନ୍ତି।