ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଅଧିବାସୀଙ୍କ ପାଇଁ ପ୍ରକୃତି ହେଉଛି ପ୍ରଥମ ପୂଜ୍ୟ। ଏହି ଅବସରରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ କନବାଗେରି ଗ୍ରାମର ଆଦିବାସୀ ବା କନ୍ଧ ସମ୍ପ୍ରଦାୟର ମହିଳା ପୁରୁଷ, ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ନିଜ ସମ୍ପ୍ରଦାୟ ତରଫରୁ ନିଜ ଗାଁ ଜଙ୍ଗଲରେ ଥିବା ବାଦେବିରା ପୁଜାସ୍ଥଳି ଠାରେ ଗ୍ରାମର ଓ ଗ୍ରାମବାସୀଙ୍କ ମଙ୍ଗଳ କାମନା କରି ବାଦେବିରା ପୁଜା ଅର୍ଥାତ୍ ପ୍ରକୃତି, ମାଟି, ଜଙ୍ଗଲ, ପାହାଡ଼, ପର୍ବତରେ ଥିବା ବିଭିନ୍ନ ଦେବାଦେବୀଙ୍କୁ ସ୍ମରଣ କରି ପୁଜା କରିଥାନ୍ତି।

Advertisment

ପ୍ରଥମେ ରାବାନାଜୁ ଗ୍ରାମରେ ପୂଜା ଅର୍ଚ୍ଚନା ସାରି ପାହାଡ ମଧ୍ୟରେ ଥିବା ଚୁଆକୁ ବାଦ୍ୟ, ନୃତ୍ୟ, ବିଭିନ୍ନ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ମା ବାଦେବିରା ନାମ ଧରି ସ୍ନାନ କରିବାକୁ ଯାଇଥାନ୍ତି ଓ ସ୍ନାନ ପରେ ପୂର୍ବପୁରୁଷ ମାନଙ୍କୁ ତଥା ବିଭିନ୍ନ ଦେବାଦେବୀମାନଙ୍କୁ ସ୍ମରଣ କରି ପୂଜା କରିଥାନ୍ତି ଓ ପରେ ଗାଁ ନିକଟରେ ସମସ୍ତ ମହିଳା ପୁରୁଷ ଏକତ୍ରିତ ମାଆ ବାଦେବିରା ପୂଜା କରିଥାନ୍ତି। ଏହି ପୂଜା ପଦ୍ଧତି ଅନ୍ୟମାନଙ୍କ ଠାରୁ ଟିକେ ନିଆରା ହୋଇଥାଏ। କାରଣ ମହୁଲି ମଦ, କଞ୍ଚିଆ ଅଣ୍ଡା, ଲିଆ, ମୁଆଁ, ଅରୁଆ ଚାଉଳ ହେଉଛି ଏମାନଙ୍କ ମୁଖ୍ୟ ପୁଜା ଉପକରଣ।

publive-image

ପୂର୍ବ ସ୍ଥିରୀକୃତ ପୁଜା ସ୍ଥାନରେ ବିଭିନ୍ନ ପ୍ରକାରର ପାରମ୍ପାରିକ ଅସ୍ତ୍ରଶସ୍ତ୍ର, ପ୍ରକୃତିର ଜଙ୍ଗଲ ପାହାଡ଼ ପର୍ବତ, ପୂର୍ବପୁରୁଷଙ୍କ ଆତ୍ମା ଓ ମାଟି ମାଁକୁ ପୂଜକ ଓ ଗ୍ରାମବାସୀ ମହୁଲି ମଦ, କଞ୍ଚିଆ ଅଣ୍ଡା, ଚାଉଳ, ମାଟି ମୁଠା ଦେଇ ନିଜ ଆଞ୍ଚଳିକ କୁଇ ଭାଷାରେ ପୁଜା କରି ସନ୍ତୁଷ୍ଟ କରାଯାଉଥିବା କହିଛନ୍ତି ଗ୍ରାମବାସୀ। ଏହି ପୂଜା ପରେ କନବାଗିରି ଗ୍ରାମର କିଛି ଆଦିବାସୀ ଯୁବକ ଗ୍ରାମର ଆରପାରି କିରାମାହା ନିକଟ ସନ୍ଦି ମଧ୍ୟକୁ ଦୌଡ଼ିଯାଇ ଦୁଇ ପାହାଡ଼ ମଝିରେ ଥିବା ଅନ୍ୟ ଏକ ପୁରାତନ ପୂଜାପୀଠରେ ପୂଜା ସାରି ଫେରିବା ପରେ ସେମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ବାଦ୍ୟ ନୃତ୍ୟ ସହ ପାଛୋଟି ନିଆଯାଇଥିଲା।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପରି ପୂଜା କଲେ ଗ୍ରାମର ମଙ୍ଗଳ ହେବା ସହ ଫସଲ ଭଲ ହୋଇଥାଏ ତା ସହ ପୂଜା ପାଉଥିବା ଦେବାଦେବୀ ଗ୍ରାମବାସୀଙ୍କୁ ସୁସ୍ଥ ରଖିବା ଓ ସମସ୍ତ ଆପଦ ବିପଦରୁ ରକ୍ଷା ମିଳିଥାଏ। ପ୍ରତିବର୍ଷ ଏହି ପୂଜା ଦୁଇ ଥର ଆୟୋଜନ ହୋଇଥାଏ। ଏହି ପରମ୍ପରା ପୂର୍ବଜ ଲୋକମାନେ କରି ଆସୁଥିଲେ ବର୍ତ୍ତମାନ ଆମେ କରୁଛୁ ଏବଂ ଏହିଁ ଆଧୁନିକ ଯୁଗରେ ମଧ୍ୟ ଆଦିବାସୀ ସଂପ୍ରଦାୟ ପୁରାତନ ନୀତିନିୟମ ଅନୁଯାୟୀ ଏହି ପ୍ରକୃତି ପୂଜା କରି ଆଗକୁ ଯୁବ ପିଢ଼ି ମଧ୍ୟ ଏହା ବଜାଇ ରଖନ୍ତୁ । ଏହା କରିବା ଦ୍ୱାରା ନିଜକୁ ଆତ୍ମ ସନ୍ତୁଷ୍ଟି ମିଳୁଥିବା କହିଛନ୍ତି ଗ୍ରାମବାସୀ।