ଖୋର୍ଦ୍ଧା: ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକର ସାଂସଦ ଭର୍ତ୍ତୃହରି ମହତାବ ବରୁଣେଇ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଆଜି ଅପରାହ୍ଣ ପ୍ରାୟ ୪ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳରେ ପହଂଚିଥିଲେ। ଏହାପୂର୍ବରୁ ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତି ରଂଜନ ସେଠୀ, ତହସିଲଦାର ବିଭାସ ପାଣିଗ୍ରାହୀ, ଏସିଏଫଙ୍କ ସହ ବନ ବିଭାଗର କର୍ମଚାରୀ ଓ ଇଣ୍ଡିଆନ ଅଏଲର ଆଂଚଳିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପାଇକ ସଂଗଠନ ଓ ଖୋର୍ଦ୍ଧାର ବରିଷ୍ଠ ନାଗରିକ ସଂଘର କେତକ କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରଧାନ ସ୍ମାରକୀ ନିର୍ମାଣରେ ଜଙ୍ଗଲ ବିଭାଗର ଅଧୀନରେ ଥିବା ଜମି, ବିଦ୍ୟୁତ୍ ବିଭାଗର ଖୁଣ୍ଟ ଆଦିର ସ୍ଥାନାନ୍ତରଣ ନେଇ ଆଲୋଚନା କରିଥିଲେ। ଏହି ସମୟରେ କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ସେଠାରେ ପହଂଚିଥିଲେ। ଏହି ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୭ରେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟରେ ଏଥିପାଇଁ ଅନୁଦାନ ଘୋଷଣା କରିଥିଲେ।
ସେହିବର୍ଷ ଏପ୍ରିଲ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ସମୟରେ ପାଇକ ବିଦ୍ରୋହର ଦାୟାଦମାନଙ୍କୁ ରାଜଭବନରେ ଭେଟିଥିଲେ। ଜୁଲାଇ ୨୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଆତିଥ୍ୟରେ ୨ଶହ ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା। ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେ ନିଜେ ବରୁଣେଇଠାରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ୨୦୧୮ ମାର୍ଚ୍ଚ ୭ ତାରିଖରେ ବରୁଣେଇଠାରେ ୫୦ ଏକର ଜମି ଯୋଗାଇଦେବାକୁ ସେ ରାଜ୍ୟ ସରକାରଙ୍କୁ ଲିଖିତ ଅନୁରୋଧ କରିଥିଲେ। ୨୦୧୮ରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ୯୦ କୋଟି ଟଙ୍କା ଅନୁଦାନ ଦେବା ପାଇଁ ଘୋଷଣା କରିଥିଲା। ଏହା ମଧ୍ୟରେ ୬ ବର୍ଷ ବିତିଗଲାଣି। ୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଦିନ ଠାରୁ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଗଲାଣି। ରାଜ୍ୟ ସରକାର ମଧ୍ୟ ବିନା ମୂଲ୍ୟରେ ୯.୫ ଏକର ଜମି ଯୋଗାଇଦେଇଛନ୍ତି।
କିନ୍ତୁ ଜଙ୍ଗଲ ବିଭାଗର ୭୯୯ଟି ଶାଗୁଆନ ଗଛର ସ୍ଥାନାନ୍ତର ଓ ପାଇକ ସ୍ମାରକୀ ସ୍ଥଳରେ ଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟକୁ ହଟାଇବାକୁ ବିଳମ୍ବ ହେଉଛି। ଜଙ୍ଗଲ ଜମିରୁ ଶାଗୁଆନ ଗଛର ସ୍ଥାନାନ୍ତର ପାଇଁ ଇଣ୍ଡିଆନ୍ଅଏଲ୍ ୫୫ ଲକ୍ଷ ଟଙ୍କା ଜମା ଦେଇସାରିଛି। ଏଭଳି ବିଳମ୍ବ ପଛରେ ରାଜ୍ୟ ସରକାରଙ୍କ ପାଇକ ସ୍ମାରକୀ ପ୍ରତି ଆନ୍ତରିକତାର ଅଭାବ ରହିଛି ବୋଲି ସେ କହିଥିଲେ। ଅପରପକ୍ଷରେ, ନୟାଗଡ଼ରେ ଦିଶା ବୈଠକ ସାରି ସାଂସଦ ଭର୍ତ୍ତୃହରି ମହତାବ ସେଠାରେ ପହଂଚିଥିଲେ। କିଛି ସମୟ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କର ଏହି ଗସ୍ତ ଅପ୍ରତ୍ୟାଶିତ। ପାଇକ ସ୍ମାରକୀ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ, ପ୍ରାଣର ସ୍ପନ୍ଦନ। ଏନେଇ ସେ ଶୁଣିଥିଲେ, ଦେଖିବାର ଇଚ୍ଛା ଥିଲା। ଏକ ସାଂସଦ ଭାବେ ସେ ଏଠାକୁ ଦେଖିବାକୁ କେବଳ ଆସିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସହ ସଂଯୋଗ ବଶତଃ ଭେଟ ହୋଇଛି। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେଇଛନ୍ତି। ଜଙ୍ଗଲ ବିଭାଗର ଗଛ ସ୍ଥାନାନ୍ତର ଆଦିରେ ବିଳମ୍ବ ଘଟୁଛି। ଏନେଇ ସେ ଦୁଇଦିନ ପୂର୍ବେ ଜିଲ୍ଲାପ୍ରଶାସନ ସହ ଆଲୋଚନା କରିଛନ୍ତି। ତୁରନ୍ତ ବ୍ୟବସ୍ଥା କରି ପାଇକ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Dharmendra-O-bhatruharinka-Paika-smaraki-paridarshan-Khordha-2.jpeg)