ଅନୁଗୁଳ: ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା। ଏହା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁ ଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି।

Advertisment

ଏହି ଯୋଜନାରେ ୧୯୭୩ ମସିହାରେ ଅନୁଗୁଳ ଜିଲ୍ଲାର ପାଳଲହଡ଼ା, ତାଳଚେର ଓ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ। କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଯାଇଥିଲା। ନ୍ୟାୟ ପାଇଁ ବିସ୍ଥାପିତମାନେ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ କରିଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ କରାଯାଇନି। ଗରିବ, ଖଟିଖିଆ, ଚାଷୀ, ପଛୁଆ ବର୍ଗ ତଥା ଦଳିତ ଓ ଆଦିବାସୀ ଜନସାଧାରଣ ବର୍ଗର ପ୍ରାୟ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ବିସ୍ଥାପିତ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ସମ୍ବଳ ନ ଥିବାରୁ ସେମାନେ ଉପେକ୍ଷିତ ହେଉଛନ୍ତି।

ପାଲଲହଡ଼ା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଂଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଳି ଜଳଭଣ୍ଡାର ସଂଲଗ୍ନ ଦ୍ଵିତୀୟ ଚିଲିକାରେ ଜଳ ସତ୍ୟାଗ୍ରହ କରୁଛନ୍ତି। ଦାବି ପୂରଣ ନ ହେଲେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣପୂର୍ବକ ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।