ଶାନ୍ତିସ୍ତୂପ ଉପରେ ଯୋତାଷ୍ଟାଣ୍ଡ ଘର ନିର୍ମାଣକୁ ବିରୋଧ

ଧଉଳି: ଧଉଳି ଶାନ୍ତିସ୍ତୂପ ଉପରେ ପର୍ଯ୍ୟଟକମାନଙ୍କ ଲାଗି ଯୋତାଷ୍ଟାଣ୍ଡ ଗୃହ ନିର୍ମାଣକୁ ନେଇ ଅସନ୍ତୋଷ ସ୍ବର ତୀବ୍ର ହେବାରେ ଲାଗିଛି। ଶାନ୍ତିସ୍ତୂପ ପରିଚାଳନା ଦାୟିତ୍ବରେ ଥିବା ଖୋଦ କଳିଙ୍ଗ ନିପନ ବୁଦ୍ଧ ସଂଘ ସମର୍ଥିତ ଗୋଷ୍ଠୀ ପକ୍ଷରୁ ଏକ ଘର ନିର୍ମାଣ କାମ ଚାଲିଛି। କଳିଙ୍ଗ ନିପନ ବୁଦ୍ଧ ସଂଘ ଗୋଷ୍ଠୀଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶାନ୍ତିସ୍ତୂପରେ ଜୋତା ରଖିବାକୁ ସଂରକ୍ଷିତ ସ୍ଥାନ ନାହିଁ। ତେଣୁ ପର୍ୟ୍ୟଟକମାନେ ସେମାନଙ୍କ ଯୋତା, ଚପଲ, ବେଲ୍ଟ ରଖିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପର୍ଯ୍ୟଟକମାନେ ବାହାରେ ଯୋତା ରଖି ଶାନ୍ତିସ୍ତୂପ ଉପରକୁ ଯାଉଛନ୍ତି। ଖୋଲାମେଲାରେ ଏକାଠି ଯୋତା ରଖିବା ଦ୍ବାରା ବଦଳ ହୋଇଯାଉଛି। ଏମିତିକି ଅନେକ ସମୟରେ ଯୋତା ଚୋରି ଯାଉଥିବା ବେଳେ କୁକୁର ନେଇ ପଳାଉଛି। ତେଣୁ ଧଉଳି ବୁଲିବାକୁ ଆସୁଥିବା ପର୍ୟ୍ୟଟକମାନେ ହୀନସ୍ତା ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଶାନ୍ତିସ୍ତୂପରେ ପର୍ୟ୍ୟଟକମାନଙ୍କ ଏଭଳି ସମସ୍ୟା ସୁବିଧା ଦୃଷ୍ଟିରୁ ନିର୍ମାଣାଧୀନ ଗୃହ ଯୋତାଷ୍ଟାଣ୍ଡ ନିର୍ମାଣ ଗୃହ କରାଯିବ। ଗୃହ ନିର୍ମାଣ କାର୍ୟ୍ୟ ଏବେ ୬ ଫୁଟ ୬ ଇଞ୍ଚ ଉଚ୍ଚତାରେ ପହଞ୍ଚିଛି। ଶାନ୍ତିସସ୍ତୂପ ଉପରେ ଘର ନିର୍ମାଣ ଆରମ୍ଭରୁ ପର୍ଯ୍ୟଟନ ବିଭାଗ, ଡିଡିସି ଓ ସ୍ଥାନୀୟ ପଞ୍ଚାୟତ ଜନ ପ୍ରତିନିଧି କେହି ଜଣେ ବି ବିରୋଧ କରିନଥିଲେ।

ହେଲେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ଘର କାମ ତାଜା ନିମଟାଲ ପଡ଼ିବା ବେଳକୁ ଦାୟିତ୍ବରେ ଥିବା ଅଧିକାରୀବୃନ୍ଦ ଘର ବନ୍ଦ ରଖିବାକୁ କହୁଥିବା କଳିଙ୍ଗ ନିପନ ବୁଦ୍ଧ ସଂଘର ଉନ୍ନୟନ କୋଅର୍ଡ଼ିନେଟର ରବି ମହାରଣା କହିଛନ୍ତି। ଯୋତାଷ୍ଟାଣ୍ଡରୁ ମିଳିବା ଅର୍ଥ ସ୍ତୂପର ବିକାଶମୂଳକ କାର୍ୟ୍ୟରେ ଖର୍ଚ୍ଚ ହେବ ବୋଲି କଳିଙ୍ଗ ନିପନ ବୁଦ୍ଧ ସଂଘ ଲକ୍ଷ ରଖିଛି। ଗତକାଲି ଫନି କ୍ଷତିଗ୍ରସ୍ତ ଶାନ୍ତିସ୍ତୂପ ଫାଟ ତଦନ୍ତରେ ଆସିଥିବ ବେଳେ ନିଜେ ଏଡିଏମ ପ୍ରଫୁଲ କୁମାର ସ୍ବାଇଁ ସମସ୍ତଙ୍କ ଉପସ୍ଥିତିରେ ସାମୟିକଭାବେ ଘର କାମ ବନ୍ଦ ରଖିବା ପାଇଁ ଶ୍ରୀ ମହାରଣାଙ୍କୁ କହିଥିଲେ। ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ମଧ୍ୟ ସମର୍ଥନ ଜଣାଇ କାମ ସ୍ଥଗିତ ରଖିବାକୁ କହିଥିଲେ। ସେହିପରି ସ୍ଥାନୀୟ ଧଉଳି ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କୁ ଯୋଗାଯୋଗ କରିବା ସମ୍ଭବ ହୋଇନଥିବା ବେଳେ ତାଙ୍କ ସ୍ବାମୀ ଏହା ବେଆଇନ ବୋଲି କହିଥିଲେ। ପର୍ଯ୍ୟଟନ ଅଧିକାରୀ ଶ୍ରୀ ରାଉତଙ୍କ ସୂଚନାନୁସାରେ ଶାନ୍ତିସ୍ତୂପ ଉପରେ ଖାଲିପଡ଼ିଥିବା ଜାଗାରେ ଘର ନିର୍ମାଣ ହେବା ଦ୍ବାରା ଶାନ୍ତିସ୍ତୂପ ପରିସରରର ସୌନ୍ଦର୍ୟ୍ୟ ନଷ୍ଟ ହେବ।

ତେଣୁ କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ବାରା ମନମୁଖୀ ଭାବେ ଚାଲିଥିବା ଯୋତାଷ୍ଟାଣ୍ଡ ଗୃହ ନିର୍ମାଣ କାର୍ଯ୍ୟରେ ଆମର ସମ୍ମତି ନାହିଁ। ଏହାଛଡ଼ା ସ୍ତୂପ ଉପରେ ଜୋତାଷ୍ଟାଣ୍ଡ ଗୃଡ ନିର୍ମାଣ କରିବା ନେଇ ଅନୁମତି ଦେଲା କିଏ। ପର୍ୟ୍ୟଟନ ବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ଡିଡିସି ଏନେଇ ସଂଘକୁ ଅନୁମତି ପ୍ରଦାନ କରି ନାହିଁ। ଅନ୍ୟ ଜଣେ ଅଧିକାରୀଙ୍କ ସୂଚନାନୁସାରେ ଦରକାର ପଡ଼ିଲେ ନିର୍ମାଣଧୀନ ଘର ଭଙ୍ଗାଯିବ। ଯୋତାଷ୍ଟାଣ୍ଡ ଘର ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶ୍ରୀ ମହାରଣାଙ୍କ କହିବାନୁଯାୟୀ ଅଧିଗୃହୀତ ଜାଗାରେ ଘର ନିର୍ମାଣ କରିବାକୁ କାହାର ଅନୁମତି ଲୋଡ଼ା ନାହିଁ।

ସମ୍ବନ୍ଧିତ ଖବର