ଭଉଣୀ ପ୍ରେମିକଙ୍କୁ ହତ୍ୟା ଷଡ଼୍‌ଯନ୍ତ୍ର

ତିନି ଭାଇଙ୍କୁ ମିଶାଇ ଚାରି ଗିରଫ

କାମାକ୍ଷାନଗର : ଅସହ୍ୟ ହେଲା ନିଜ ଭଉଣୀର ପ୍ରେମ ସମ୍ପର୍କ। ଏଥିରେ ଉତ୍‌କ୍ଷିପ୍ତ ହୋଇ ତିନି ଭାଇ ଭଉଣୀର ପ୍ରେମିକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିବା ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଭାଇମାନେ ଏଭଳି ନରକୀୟ କାଣ୍ଡ ଘଟାଇବା ପୂର୍ବରୁ ପୁଲିସ ହାତରେ ଧରା ପଡ଼ିଛନ୍ତି। ଘଟଣାରେ ଅଭିଯୁକ୍ତ ତିନି ଭାଇ ତୁମୁସିଂହା ଥାନା କନ୍ତିଓକାଟେଣି ଗ୍ରାମର ଚନ୍ଦନ ପଧାନ(୩୧), ଅଶୋକ ପଧାନ(୨୫), ପ୍ରଶାନ୍ତ ପଧାନ(୩୨)ଙ୍କ ସମେତ ଆଠଗଡ଼ ଥାନା ଘୋଳପୁର ଗ୍ରାମର ଜ୍ଞାନରଞ୍ଜନ ବେହେରା(୨୨)ଙ୍କୁ ମିଶାଇ ୪ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି ସହିତ ଗୋଟିଏ ଯାତ୍ରୀବାହୀ ଅଟୋ ଜବତ ହୋଇଛି। ଏ ନେଇ କାମାକ୍ଷାନଗର ଥାନାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ଘଟଣାର ପର୍ଦାଫାସ୍‌ କରିଛନ୍ତି।

ପୁଲିସର କହିବା ଅନୁସାରେ, ପର୍ଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁର ନୃସିଂହ ନାଏକଙ୍କ ପୁଅ ରଞ୍ଜନ ନାଏକ(୨୨) ନିଜ ବନ୍ଧୁଘର କନ୍ତିଓକାଟେଣି ଗାଁକୁ ଯିବା ଆସିବା କରୁଥିଲେ। ଇତିମଧ୍ୟରେ କନ୍ତିଓକାଟେଣି ଗାଁର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୫ ତାରିଖରେ ପ୍ରେମୀ ଯୁଗଳ ଘରୁ କେଉଁଆଡ଼େ ଫେରାର୍‌ ହୋଇଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଯୁବତୀଙ୍କ ନିଜ ଦୁଇ ଭାଇ ଚନ୍ଦନ, ଅଶୋକ ଓ କକାପୁଅ ଭାଇ ଅଶୋକ ପ୍ରତିହିଂସା ପରାୟଣ ହୋଇ ପଡ଼ିଥିଲେ। ଭଉଣୀକୁ ନେଇ ପଳାଇଥିବା ରଞ୍ଜନକୁ ରାସ୍ତାରୁ ହଟାଇବା ପାଇଁ ତିନି ଭାଇ ଯୋଜନା କରିଥିଲେ। ସେଥିପାଇଁ ତିନି ଭାଇ ପିସ୍ତଲ ଯୋଗାଡ଼ କରିବା ପାଇଁ କଟକ ଜିଲ୍ଲା ଜଗତପୁରରେ ବିଲ୍‌ଡ଼ର କାମ କରୁଥିବା ଆଠଗଡ଼ ଥାନା ଘୋଳପୁର ଗ୍ରାମର ଜ୍ଞାନରଞ୍ଜନଙ୍କୁ ଭେଟିଥିଲେ। ହତ୍ୟା ପାଇଁ ଜ୍ଞାନରଞ୍ଜନ ତାଙ୍କୁ ଗୋଟିଏ ପିସ୍ତଲ ଓ ଦୁଇ ରାଉଣ୍ଡ୍‌ ଗୁଳି ଦେଇଥିଲା।

ଜଗତପୁରରୁ ସିଧାସଳଖ ଅଶୋକର ଯାତ୍ରୀବାହୀ ଅଟୋରେ(ଓଡି୦୫ଏକ୍ସ-୮୯୦୬)ରେ ତିନି ଜଣ ଯାକ ପିସ୍ତଲ ଓ ଗୁଳି ଧରି ଗତ ୭ ତାରିଖ ସନ୍ଧ୍ୟାରେ କଙ୍କଡ଼ାସୋଡ଼ା ଗାଁର ରଞ୍ଜନଙ୍କ ଘରେ ପହଞ୍ଚି ଥିଲେ। କିନ୍ତୁ ସେତେବେଳକୁ ରଞ୍ଜନ ଘରେ ନ ଥିଲେ। ତେଣୁ ତାଙ୍କ ବାପା ନୃସିଂହ ନାଏକଙ୍କ ମୁଣ୍ଡରେ ପିସ୍ତଲ ରଖି ତିନି ଭାଇ ରଞ୍ଜନର ଠିକଣା ପଚାରିବା ସହିତ ମାଡ଼ପିଟ୍‌ କରିଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ପର୍ଜଙ୍ଗ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କ ନେତୃତ୍ୱରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନି ଭାଇଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି ଓ ଯାତ୍ରୀବାହୀ ଅଟୋକୁ ପୁଲିସ ଜବତ କରିଥିଲା। ଏଥିସହ ହତ୍ୟାକାଣ୍ଡ ପାଇଁ ପିସ୍ତଲ ଓ ଗୁଳି ଯୋଗାଇଥିବା ଜ୍ଞାନରଞ୍ଜନଙ୍କୁ ପୁଲିସ ଖୋଜିଥିଲା। ତା’ ପରଦିନ ରାତିରେ ଏକ ସ୍ୱତନ୍ତ୍ର ଟିମ୍‌ ଜଗତପୁର ଅଞ୍ଚଳରେ ଚଢ଼ାଉ କରି ଜ୍ଞାନରଞ୍ଜନଙ୍କୁ ଗିରଫ କରିଛି। ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର