ପିସ୍ତଲ୍ ମୁନରେ ୪୧ ହଜାର ଲୁଟିନେଲେ

ବନ୍ତଳା:ବନ୍ତଳା ଥାନା ବସଲା ପଞ୍ଚାୟତ ଆଦିଆଘାଇ ଗାଁ ରାସ୍ତାରେ ଏକ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଦୁର୍ବୃତ୍ତମାନେ ୪୧ ହଜାର ୫୦୦ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ସକାଳ ୯ଟା ବେଳେ ଅନୁଗୁଳ ଅମଲାପଡ଼ାସ୍ଥିତ ସ୍ପନ୍ଦନ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ବସଲା ଅଞ୍ଚଳରୁ ଋଣ ସଂଗ୍ରହ କରିବାକୁ ଆସିଥିଲେ। ଏହି ସମୟରେ ଆଦିଆଘାଇର ପାହାଡ଼ ତଳ ରାସ୍ତାରେ ୨ଟି ବାଇକରେ ୫ଜଣ ଯୁବକ ଆସି ସେମାନଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ୪୧ ହଜାର ୫୦୦ ଟଙ୍କା ଲୁଟି ନେଇଥିଲେ। ଉକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀ ଦିଲେଶ୍ବର ନାଏକ ଏ ନେଇ ବନ୍ତଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବନ୍ତଳା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀମାନଙ୍କଠାରୁ ବାରମ୍ବାର ଲୁଟ୍ ହେଉଥିବା ଦେଖାଯାଉଛି। ଅନୁଗୁଳ ଥାନା ଅଧିକାରୀ ସବ୍ୟସାଚୀ ରାଉତ ଫାଇନାନ୍ସ କର୍ମଚାରୀମାନଙ୍କୁ ଅର୍ଥ ସଂଗ୍ରହ କରାଯିବା ପୂର୍ବରୁ ଥାନାରେ ସୂଚନା ଦେବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ବେ ସେମାନେ କାହିଁକି ଜଣାଉନାହାନ୍ତି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର