ପାଇକସାହି: ଆଠମଲ୍ଲିକ ବ୍ଲକ୍ ମଇମୁରା ପଞ୍ଚାୟତର କୁତୁଲୁସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଗଣେଶ ପୂଜା ଅବସରରେ ହୋଇଥିବା ଭାତ, ଡାଲମା ଆଦି ଖାଦ୍ୟ ଖାଇ ପ୍ରାୟ ୩୦ଜଣ ଛାତ୍ରଛାତ୍ରୀ ଓ ୨୦ ଜଣ ଅଭିଭାବକ ଓ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଠାକୁରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁତୁଲୁସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଗଣେଶ ପୂଜା ଅବସରରେ ସେଠାରେ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ବିଦ୍ୟାଳୟ ଛାତ୍ରଛାତ୍ରୀ, ସେମାନଙ୍କ ଅଭିବାବକ ଓ ଗ୍ରାମବାସୀମାନଙ୍କୁ ଖାଇବା ପାଇଁ ଭାତ, ଡାଲି ଓ ଖଟା ଆଦି ଦିଆଯାଇଥିଲା। ଏହି ଖାଦ୍ୟ ଖାଇବାର କିଛି ସମୟ ପରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଅସୁସ୍ଥ ହୋଇପଡ଼ିଥିଲେ। ବିଦ୍ୟାଳୟର ଛାତ୍ର ସତ୍ୟ ପ୍ରଧାନ, କାଳିଆ ବେହେରା, ଲିଟୁ ପ୍ରଧାନ, ବିକାଶ ପ୍ରଧାନ, ଟୁଟୁ ପ୍ରଧାନ ପ୍ରମୁଖଙ୍କୁ ଜ୍ୱର ହେବା ସହ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଠାକୁରଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଏ ସଂପର୍କରେ ଉକ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ। ଏ ସଂପର୍କରେ ଆଠମଲ୍ଲିକ ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଏଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଠାକୁରଗଡ଼ ଡାକ୍ତରଖାନାରୁ ଡାକ୍ତର ଦେବାଶିଷ ପରିଡ଼ାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମରେ ପହଞ୍ଚି ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଥିଲେ।