ଭୁବନ: ରାଖୀର ମୂଲ୍ୟ ଦେଇଛି ଭାଇ। ବିପଦରେ ପଡ଼ିଥିବା ଭଉଣୀର ଜୀବନ ବଞ୍ଚାଇଛି ଭାଇ। କୂଅରେ ପଡ଼ି ଜୀବନ ଓ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଭଉଣୀକୁ ସୁରକ୍ଷା ଦେଇ ଚର୍ଚ୍ଚାର ବିଷୟ ପାଲଟିଛି ନାବାଳକ ଭାଇ। ଶେଷରେ ପରିବାର ଏବଂ ଗାଁ ଲୋକେ ଗଭୀର କୂଅ ଭିତରୁ ଭାଇ ଓ ଭଉଣୀ ଉଦ୍ଧାର କରିଛନ୍ତି। ପାଣି କାଢୁଥିବା ବେଳେ କୂଅରେ ପଡ଼ିଗଲା ଭଉଣୀ। ଉଦ୍ଧାର କରିବାକୁ କୂଅକୁ ଡେଇଁ ଥିଲା ଭାଇ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁଆଁ( ବି) ଗ୍ରାମରେ। ଗ୍ରାମର ଶ୍ରୀକାନ୍ତ ପରିଡ଼ାଙ୍କ ନାବାଳିକା ଝିଅ ଲକି ପରିଡ଼ା (୧୩) ନିଜ ଘର ବାଡ଼ି କୂଅରେ ପାଣି କାଢୁଥିବା ସମୟରେ ଅସାବଧାନତା କାରଣରୁ କୂଅରେ ପଡ଼ିଯାଇଥିଲା।

Advertisment

ଭଉଣୀ ପଡ଼ିଯିବାର ଦେଖି ଭାଇ ସନ୍ଦୀପ ପରିଡ଼ା (୧୪) ବିଚଳିତ ହୋଇଯାଇଥିଲା। କୂଅର ଗଭୀରତା ବିଷୟରେ ଅଜ୍ଞତା ଥିଲେ ମଧ୍ୟରେ ଭଉଣୀକୁ କିପରି ବଞ୍ଚାଇବ ସେକଥା ହଠାତ୍‌ ଚିନ୍ତା କରିଥିଲା ଏବଂ କୂଅକୁ ଡେଇଁ ପଡ଼ିଥିଲା। ପ୍ରାୟ ଅଧାଘଣ୍ଟା କାଳ  ଭଉଣୀକୁ କୂଅ ମଧ୍ୟରେ ଧରି ରଖିଥିଲା ଭାଇ। ଏସବୁ ଘଟଣାକୁ ଦେଖି ନେଇଥିଲେ ସ୍ଥାନୀୟ ଲୋକେ।

ଆହୁରି ପଢ଼ନ୍ତୁ: Health: କ୍ୟାପିଟାଲ ହସ୍ପିଟାଲରେ ୪୦କୁ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା

ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଭୁବନ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଭୟ ଭାଇ  ଓ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସରପଞ୍ଚ ବୀଣାପାଣି ସାହୁ ପୀଡିତ ୨ ଜଣଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି। ଭୁବନ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳକୁ ସ୍ଥାନାନ୍ତର କରାଯାଇଛି। ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ସ୍ଥାନୀୟ ଲୋକେ ନାବାଳକର ସାହାସକୁ ତୀବ୍ର ପ୍ରଶଂସା କରୁଛନ୍ତି। 

ଆହୁରି ପଢ଼ନ୍ତୁ: Trump-Khamenei: ଟ୍ରମ୍ପଙ୍କ ଭୟରେ ଉତ୍ତରାଧିକାରୀ ଘୋଷଣା କଲେ ଖେମିନି, ଇରାନ ନିକଟରେ ପହଞ୍ଚିଲା ଆମେରିକାର ଯୁଦ୍ଧପୋତ...