ଭୁବନ:ସଂସାରରେ ଏମିତି ଭାଇ ଅଛନ୍ତି ଘରପଟ୍ଟା ପାଇଁ ପାଲଟିଯାନ୍ତି ରାକ୍ଷସ। ମାଆର କୋଳପୋଛା ସାନ ପୁଅକୁ ବଡ଼ ଭାଇମାନେ ମିଳିମିଶି ଦଉଡ଼ିରେ ବାନ୍ଧି ପାଣି ମିଶା ହାଲୁକା ଏସିଡ ମାଡ଼ କରିଥିବା ଜଣାପଡ଼ିଛି। ଦୀର୍ଘ ଚାରି ଘଣ୍ଟା ମରଣ ସହ ଲଢେ଼ଇ କରିବା ପରେ ଗଣମାଧ୍ୟାମ ପ୍ରତିନିଧିମାନଙ୍କ ହସ୍ତକ୍ଷେପ ପରେ ପ୍ରଶାସନର ନିଦ ଭାଙ୍ଗିଲା। ଭୁବନର ମାଜିଷ୍ଟ୍ରେଟ ବିଳମ୍ବିତ ରାତିରେ ପହଞ୍ଚିଥିଲେ। ସ୍ଥାନୀୟ ଥାନାଧିକାରୀ ଅମ୍ବିକା ପଟ୍ଟନାୟକ ପୀଡ଼ିତର ଦୁଇ ଭାଇଙ୍କୁ ଘରୁ ଉଠାଇ ଆଣି ପଚରାଉଚରା କରିଥିବା ଜଣାଯାଇଛି। ଅଧିକ ଚିକିତ୍ସା ନିମନ୍ତେ ପୀଡ଼ିତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ପ୍ରଶାସନ। ସାଥୀରେ ବଡ଼ଭାଇକୁ ପଠାଇଛି ପ୍ରଶାସନ।

Advertisment

ଘଟଣାରୁ ଜଣାଯାଏ ଯେ ଭୁବନ ବ୍ଲକ ବାଳିବୋ ପଞ୍ଚାୟତ ଅନ୍ତର୍ଗତ ଗଡଗହଁପୁର ଲତାବିଲ ଗ୍ରାମର ୱାର୍ଡ ନମ୍ୱର ୬ରେ ଶନିବାର ରାତି ୯.୩୦ ସମୟରେ ପାରିବାରିକ କଳହକୁ ନେଇ ଏସିଡ ମାଡ଼ ହୋଇଥିବା ଜଣାପଡିଛି। ଯୋଗୀ ନାୟକଙ୍କ ଚାରି ପୁଅ। ବଡ଼ ପୁଅ ସୁମନ ଅନ୍ୟତ୍ର ରହୁଥିବା ବେଳେ ମଝିଆଁ ଦୁଇ ପୁଅ ଲତାବିଲରେ ରହନ୍ତି। ସାନପୁଅ ଭାଗିରଥୀ ନାୟକ (୪୦) ଙ୍କୁ ରାତି ପ୍ରାୟ ୯.୩୦ ରୁ ୧୦ଟା ବେଳେ ଏସିଡ ମାଡ଼ ହୋଇଥିବା ଜଣାପଡ଼ିଛି। ଭାଗିରଥୀ ସୁରପ୍ରତାପପୁର ଗ୍ରାମରେ ଶଶୁର ଘରେ ରୁହନ୍ତି। ସ୍ତ୍ରୀ ତାଙ୍କ ବାପ ଘରେ ଥିବା ବେଳେ ଭାଗିରଥୀ ନିଜ ଗାଁ ଲତାବିଲକୁ ଆସିଥିଲେ। ଦିନବେଳା ମଝିଆଁ ଭାଉଜଙ୍କୁ ଖାଇବାକୁ ମାଗିଥିଲେ। ପରେ ଘର ପଟ୍ଟା ମାଗି ବିଫଳ ହେବାରୁ ସେ ପାଟିତୁଣ୍ଡ କରିଥିଲେ। ରାତିରେ ଘରେ ଥିବା ବେଳେ ତାଙ୍କୁ କେହି ଏସିଡ ଢାଳି ଦେଇଥିଲେ। କିନ୍ତୁ ଭାଗିରଥୀ ଭୁବନ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମାଜିଷ୍ଟ୍ରେଟଙ୍କୁ ବୟାନରେ କୁହନ୍ତି ତାଙ୍କର ପାରିବାରିକ କଳି ଭାଇମାନଙ୍କ ସହ ଥିଲା। ତାଙ୍କୁ ଡାକ୍ତର ରେଫର୍ କରିଥିବା ବେଳେ କେହି ଆଟେଣ୍ଡାଣ୍ଟ ନଥିବାରୁ ସେ ଅନ୍ୟତ୍ର ଚିକିତ୍ସା ପାଇଁ ଯାଇ ପାରୁନଥିଲେ। ବିଳମ୍ବ ହେଲେ ପ୍ରଶାସନିକ ଅଧିକାରୀ ରାଜୀବ ଲୋଚନ ବେହେରା, ନଗରପାଳ ଶୁଭେନ୍ଦୁ ସାହୁ, ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ , ଆକାଉଣ୍ଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟଙ୍କ ପ୍ରୟାସ ପରେ ଭାଗିରଥୀ ନାୟକଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।