ତିନିଦିନ ପରେ ବି ପୁଲିସ ହାତ ଖାଲି

ଧାର୍‌ ଟଙ୍କାକୁ କେନ୍ଦ୍ରକରି ଘରପୋଡ଼ି ଘଟଣା

ଢେଙ୍କାନାଳ: ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ କଡାକଡି ପଦକ୍ଷେପ ନେଉଛି। କିନ୍ତୁ ସଦର ଥାନା ବାଙ୍କୁଆଳ ଗାଁରେ ଘର ପୋଡ଼ିଦିଆଯିବା ତଥା ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଗତ ୧୪ ତାରିଖ ସଂଧ୍ୟାରେ ଏହା ଘଟିଥିବାବେଳେ ଅଭିଯୁ୍କ୍ତଙ୍କୁ ଅଦ୍ୟାବଧି ପୁଲିସ ଗିରଫ କରିନାହିଁ। ଦୁଇପକ୍ଷ ମଧ୍ୟରେ ଘଟିଥିବା ଏହି ଘଟଣା ଉଗ୍ର ରୂପ ନେବାର ଆଶଙ୍କା ଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଦୋଳ ଉତ୍ସବ ବାଙ୍କୁଆଳ ଗାଁର ମୁଖ୍ୟପର୍ବ। ଗାଁ କୋଠରେ ରଖାଯାଇଥିବା ଟଙ୍କାରେ ଏହି ପର୍ବ ପାଳନ ହୋଇଥାଏ। ପ୍ରତିବର୍ଷର ବଳକା ଟଙ୍କା ପରବର୍ଷ ପାଇଁ ରଖାଯାଇଥାଏ। ଗାଁର କୌଣସି ଲୋକର ଆବଶ୍ୟକ ହେଲେ ସେହି ଟଙ୍କାରୁ କିଛି ଋଣ ଆକାରରେ ତାଙ୍କୁ ଦିଆଯାଇଥାଏ ଏବଂ ଦୋଳ ପୂର୍ଣ୍ଣିମା ପୂର୍ବରୁ ଟଙ୍କା ଫେରାଇ ନିଆଯାଇଥାଏ। ଏହି କ୍ରମରେ ଗତବର୍ଷର ଟଙ୍କାରୁ ଗାଁର ଯୁଗଳ ସ୍ବାଇଁ, ତାଙ୍କ ଭାଇ ସଜନ ସ୍ବାଇଁ ଝିଅ ବାହାଘର ପାଇଁ ୨୧ ହଜାର ଟଙ୍କା ଋଣ ନେଇଥିଲେ ମଧ୍ୟ ନିର୍ଦିଷ୍ଟ ସମୟରେ ଫେରାଇ ନଥିଲେ। ଏହାକୁ କେନ୍ଦ୍ରକରି ଗାଁରେ ଅସନ୍ତୋଷ ଉପୁଜିଥିଲା। ଗ୍ରାମ କମିଟି କିଛିଦିନ ତଳେ ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଫଳରେ ଗ୍ରାମବାସୀମାନେ ଗତ ୧୪ ତାରିଖରେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରି ଫେରିଥିଲେ। ସେଦିନ ସଂଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗାଁରେ ପୁଣି ପାଟିତୁଣ୍ତ ହୋଇଥିଲା। ସେହି ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ୩ ବଖରା ଘର ପୋଡ଼ି ଯାଇଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରୁ ବଡ଼ ଅଘଟଣରୁ ଗାଁ ରକ୍ଷା ପାଇଥିଲା। ଏସ୍‌ପିଙ୍କ ନିର୍ଦେଶ କ୍ରମେ ୧ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ଗାଁରେ ମୁତୟନ ହୋଇଥିଲେ। ଏ ସଂପର୍କରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଘଟଣାର ସମାଧାନ ପାଇଁ ଗତ ଶୁକ୍ରବାର ଗ୍ରାମର ଶତାଧିକ ମହିଳା, ପୁରୁଷ ସଦର ଥାନାକୁ ଯାଇଥିଲେ। ଥାନା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଅଭିଯୋଗପତ୍ର ଦେଇ ଫେରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗ୍ରାମର ଅଧିକାଂଶ ଲୋକ ଫେରାର ରହିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ଲାଗିରହିଛି। ତୁରନ୍ତ ଏହାର ସମାଧାନ କରାନଗଲେ ପରିସ୍ଥିତି ଉଗ୍ର ରୂପ ନେବବୋଲି ଗ୍ରାମବାସୀଙ୍କ ଠାରୁ ଜଣାପଡ଼ିଛି। ଏ ସଂପର୍କରେ ସଦର ଥାନା ଅଧିକାରୀ ମଳୟ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ‘ଏବେ ବି ଗାଁରେ ପୁଲିସ୍‌ ପେଟ୍ରୋଲିଂ ଜାରି ରହିଛି। ଏସ୍‌ପିଙ୍କ ନିର୍ଦେଶକ୍ରମେ ଘଟଣା ସଂପର୍କରେ ମାମଲା ରୁଜୁ କରାଯାଇଛି। ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତମାନେ ଫେରାର୍ ଥିବାରୁ ତାଙ୍କୁ ଗିରଫ କରାଯାଇପାରିନାହିଁ, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।’

ସମ୍ବନ୍ଧିତ ଖବର