ଢେଙ୍କାନାଳ: ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଜଙ୍ଗଲ ବିଭାଗୀୟ କର୍ମଚାରୀ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଫରେଷ୍ଟ୍ ରେଞ୍ଜ୍ ଅଧିନରେ ଥିବା ହିଟିଣ୍ଡା ଜଙ୍ଗଲରୁ ଗତକାଲି ରାତିରେ ଏକ ଛୁଆ ହାତୀ ଉଦ୍ଧାର କରିଛନ୍ତି।
ଗତ କାଲି ରାତିରେ କିଛି ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଯେ ଜଙ୍ଗଲ ଭିତରେ ଏହି ଛୁଆ ହାତୀଟି ଗୁରୁତର ଅବସ୍ଥାରେ ପଡ଼ି ରହିଥିଲା। ତା’ପରେ ସେମାନେ ତୁରନ୍ତ ଜଙ୍ଗଲ ବିଭାଗୀୟ କର୍ମଚାରୀଙ୍କୁ ଖବର ଦେଇଥିଲେ।
ଖବର ପାଇ ଜଙ୍ଗଲ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ଦ୍ୱାରା ଗଠିତ ଏକ ଦଳ, ଏସିଏଫ୍ଓ ଜିତେନ୍ଦ୍ର ନାଥ ଦାସ, ହିନ୍ଦୋଳ ରେଞ୍ଜର ମଧୁସୂଦନ ପାତ୍ର ଏବଂ ଫରେଷ୍ଟର୍ ବିକ୍ରମ ସେଠୀ ସେଠାରେ ପହଞ୍ଚିଥିଲେ। ସେଠାରେ ଏମାନେ ତୁରନ୍ତ ପହଞ୍ଚିବା ପରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ।
ତେବେ ଉଦ୍ଧାର ହୋଇଥିବା ୭-୮ ମାସର ଏହି ହାତୀ ଛୁଆଟିର ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ପ୍ରାଥମିକ ଚିକିତ୍ସା ପରେ ହାତୀ ଛୁଆଟିର ଉତ୍ତମ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱରକୁ ପଠାଯାଇଛି।