ଆଶ୍ରୟ ଗୃହ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ: ଅନୁଷ୍ଠାନ ମୁଖ୍ୟଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଢେଙ୍କାନାଳ: ସଦର ବ୍ଲକ୍ ବେଲଟିକିରି ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେଣ୍ଟର’ ଆଶ୍ରୟ ଗୃହରେ ଅନ୍ତେବାସୀ ଛାତ୍ରୀମାନଙ୍କୁ ଅନୁଷ୍ଠାନର ମୁଖ୍ୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଭିଯୋଗ ପାଇ ଘଟଣାସ୍ଥଳରେ ଏହାର ଅନୁଧ୍ୟାନ କରିଛି। ଏ ସଂପର୍କରେ ଅନୁଷ୍ଠାନ ମୁଖ୍ୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଏହି ସ˚ସ୍ଥା ବେଲଟିକିରି ଗାଁରେ ଆଶ୍ରୟ ଗୃହ ଖୋଲି ଗରିବ ପିଲାମାନଙ୍କ ରକ୍ଷଣାବେକ୍ଷଣ କରୁଛି। ସେଠାରେ ୯୪ ଜଣ ଅନ୍ତେବାସୀ ରହିଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ଫେବ୍‌ ରେହେମାନ୍‌ ୩ ମାସ ତଳେ ସେଠାକୁ ଆସିଛନ୍ତି।

ଆଶ୍ରୟ ଗୃହରେ ଥିବା ପ୍ରାପ୍ତ ବୟସ୍କା ଛା‌ତ୍ରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ରେହେମାନ୍‌ ଅସଦାଚରଣ କରିଥିଲେ ବୋଲି ଛାତ୍ରୀମାନେ ଅଭିଯୋଗ କରିଥିଲେ। ଶ୍ରୀମତୀ ଗୋସ୍ବାମୀଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ୪ ଜଣିଆ ଦଳ ଗତ ସୋମବାର ସେଠାକୁ ଯାଇ ତଦନ୍ତ କରିଥିଲେ। ଅଭିଯୋଗର ସତ୍ୟତା ଥିବା ଜାଣିବା ପରେ ଘଟଣା ସ˚ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ନିର୍ଦ୍ଦେଶକ୍ରମେ ଅଧ୍ୟକ୍ଷ ଶ୍ରୀ ରେହେମାନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏକ ସପ୍ତାହ ମଧ୍ୟରେ ନୋଟିସ୍‌ର ଉତ୍ତର ନଦେଲେ ଅଧ୍ୟକ୍ଷଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ। ବେଆଇନ୍‌ ଭାବେ ଘର ଭଡ଼ା ନେବା ଓ ଅସଦାଚରଣ ନେଇ ତାଙ୍କ ବିରୋଧରେ କୋର୍ଟରେ ମାମଲା ଚାଲିଛି ବୋଲି ଶ୍ରୀମତୀ ଗୋସ୍ବାମୀ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ,ଏହି ଅନୁଷ୍ଠାନଟି ଦୁଇବର୍ଷ ତଳେ ସହର ଷ୍ଟେସନ ବଜାରଠାରେ ଏକ ଭଡାଘରେ ବିନା ଅନୁମତିରେ ଚାଲୁଥିଲା। ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାହା ବନ୍ଦ କରିଦିଆଗଲା। ଏବେ ବେଲଟିକିରିଠାରେ ଅନୁରୂପ ଘଟଣା ଘଟିଥିବା ଅଭିଯୋଗ ‌େହବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର