ନବୀନ ନନ୍ଦଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ, ୨ ଦୁର୍ବୃତ୍ତ ଫେରାର୍‌

ଢେଙ୍କାନାଳ/ଗଁଦିଆ/ଯୋରନ୍ଦା/ମହିମାଗାଦି : ବୋମାମାଡ଼ରୁ ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ତେବେ, ତାଙ୍କ କାର୍‌ଟି କ୍ଷତିଗ୍ରସ୍ତ ହୋଇଛି। ଏହି କାଣ୍ଡ ଘଟାଇ ୨ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବାବେଳେ ରାଜନୈତିକ ଶତ୍ରୁତା ଯୋଗୁ କେହି ଏପରି କରିଥିବା ଶ୍ରୀ ନନ୍ଦ ଅଭିଯୋଗରେ ଦର୍ଶାଇଛନ୍ତି।

ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଗତ ବିଧାନସଭା ନିର୍ବାଚନରେ ବିଜେଡି ଟିକଟରୁ ବଞ୍ଚତ ହୋଇଥିଲେ। ସ୍ୱାଭିମାନ ସୁରକ୍ଷା ମଞ୍ଚ ନାମରେ ଏକ ଅଣରାଜନୈତିକ ସଂଗଠନ ଗଢ଼ି ଏହା ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଥିଲେ। ଆଜି ମଞ୍ଚ ପକ୍ଷରୁ ଗଁଦିଆ ବ୍ଲକ ଅଞ୍ଚଳରେ ସ୍ୱାଭିମାନ ସୁରକ୍ଷା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଶ୍ରୀ ନନ୍ଦ କେନ୍ଦୁପଡ଼ା ଗ୍ରାମରେ ସଭା ଶେଷ କରି କାଲୁରିଆ ପଞ୍ଚାୟତ ଠାକୁରପାଳ ଗ୍ରାମରେ ହେବାକୁ ଥିବା ସଭାରେ ଯୋଗ ଦେବା ପାଇଁ ଯାଉଥିବାବେଳେ ହଠାତ୍‌ ଦୁଇ ଜଣ କଳାମୁଖା ପିନ୍ଧା ଯୁବକ ବାହାରି ତାଙ୍କ ଗାଡ଼ିର ସମ୍ମୁଖ ଓ ପଛଭାଗକୁ ବୋମା ମାଡ଼ କରିଥିଲେ। ଆକ୍ରମଣ ପରେ ଉଭୟେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମା ମାଡ଼ ଯୋଗୁ କାର୍‌ର ଆଗ ଓ ପଛ କାଚ ଭାଙ୍ଗି ଯାଇଛି। ଶ୍ରୀ ନନ୍ଦ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ପାଇ ଗଁଦିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏ ସମ୍ପର୍କରେ ଶ୍ରୀ ନନ୍ଦ କହିଛନ୍ତି, ମୋତେ ଲକ୍ଷ୍ୟ କରି ଏହି ବୋମା ମାଡ଼ କରାଯାଇଥିଲା। କିନ୍ତୁ ଭାଗ୍ୟକୁ ବୋମା ଗାଡ଼ିରେ ବାଜିଥିଲା। ତାଙ୍କର କେହି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଏମିତି କରିଥାଇ ପାରନ୍ତି ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଶ୍ରୀ ନନ୍ଦଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ବୋଲି ଗଁଦିଆ ଥାନା ଅଧିକାରୀ ନିରୁପମା ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର