ଭୁବନ: ଚୋରି କରି ଧରା ପଡିବା ପରେ ଉତ୍ତ୍ୟକ୍ତ ଜନତାଙ୍କ ରୋଷର ଶିକାର ହୋଇଛନ୍ତି ଚୋର ଏବଂ ଚୋରି ସାମଗ୍ରୀ ଥିବା ଘର ମାଲିକ। ୨ ଶହରୁ ଉର୍ଦ୍ଧ୍ବ ଲୋକ ଚୋରକୁ ବ୍ୟାଟେରି ମୁଣ୍ଡାଇ ୨ କିମି ଚଲାଇ ଚଲାଇ ନେଇ ଭୁବନ ଥାନାରେ ଜିମା ଦେଇଛନ୍ତି। ଏନେଇ ଭୁବନ ଥାନାରେ ୱାର୍ଡ ନମ୍ବର ୩ର ଦେବ ସାହୁଙ୍କ ସମେତ ପାଞ୍ଚ ଜଣ ଗାଡ଼ି ମାଲିକ ଏତଲା ଦେଇଛନ୍ତି|
ଖବର ନେବାରେ ଜଣାଯାଏ ଯେ ୱାର୍ଡ ନମ୍ବର ୩ ହନୁମାନ ଛକରେ ଦୀର୍ଘ ବର୍ଷ ହେଲା ଗାଡ଼ି ଚାଳକ ମାଲିକ ଗାଡ଼ି ପାର୍କିଂ କରିଥାନ୍ତି | କବିର ସାହୁଙ୍କ ପୁଅ ଦେବରାଜ ସାହୁ ଟ୍ରକ ହନୁମାନ ଛକରେ ରଖିଥିଲ | ତାଙ୍କ ଟ୍ରକ ବ୍ୟାଟେରି ଚୋରି ହୋଇଯାଇଥିବାର ଗାଡ଼ି ଚାଳକ ଅଜୟ କହିଥିଲେ | ୨ ଦିନ କାଳ ଖୋଜିବା ପରେ ବ୍ୟାଟେରିର ସନ୍ଧାନ ମିଳିଥିଲା | ଗୋଡ଼ିପାଟଣା ସାହିର ମାନସ ମଲ୍ଲିକ ବ୍ୟାଟେରିଟିକୁ ଚୋରି କରି ଛାୟାକନ୍ତ ଦଲେଇଙ୍କୁ ବିକ୍ରି କରିଥିଲେ|
ଛାୟାକାନ୍ତ ଜଣେ କବାଡି ବ୍ୟବସାୟୀ| ଗ୍ରାମବାସୀମାନେ ଚୋରି ବ୍ୟାଟେରିକୁ ଛାୟାକନ୍ତଙ୍କ ଘରୁ ଉଦ୍ଧାର କରିବା ପରେ ଉଭୟ ମାନସ ଓ ଛାୟାକାନ୍ତଙ୍କୁ ବ୍ୟାଟେରି ମୁଣ୍ଡାଇ ୨ ଶହ ଲୋକ ୨ କିମି ଚଲାଇ ଚଲାଇ ଭୁବନ ଥାନାରେ ଜିମା ଦେଇଥିଲେ| ଅନ୍ୟ ଜଣେ ଚୋର କପିଳା ମଲ୍ଲିକ ନାମରେ ଏତଲା ରହିଛି | ତେବେ କବାଡି ଦୋକାନ ବୃଦ୍ଧି ସାଙ୍ଗକୁ ଚୋରି ମଧ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି | ପୁଲିସ ବି ବେଫିକର ହୋଇ ବସିପଡ଼ିବାରୁ ଅଞ୍ଚଳରେ ଧନଜୀବନ ସୁରକ୍ଷିତ ନଥିବା ଜଣାପଡ଼ିଛି| ହନୁମାନ ଛକରେ ଥିବା ଚାରିଚାକିଆ ଗାଡ଼ି ମାଲିକ ବିଜୟ ବେହେରା, ଲୁଲୁ ସାହୁ, ଦାଶରଥୀ ସାହୁ ଓ ବିପିନ ସାହୁଙ୍କର ବ୍ୟାଟେରି ଚୋରି ହୋଇଥିବା ମଧ୍ୟ ଥାନାରେ ଲିଖିତ ଅଭିଯୋଗ ହୋଇଛି |