ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା-୨:ବାଳୁତରୁ ବ୍ରେନ୍‌ୱାସ୍

ଜଗନ୍ନାଥଙ୍କ ଜଣାଣ ଗାଇବାକୁ ମନା କଲେ ,ପିଲାଙ୍କ ଆଚରଣକୁ ନେଇ ସଭିଏଁ ଚକିତ, ହଷ୍ଟେଲ୍‌ରେ ନାଁ ହେଉଥିଲା ପରିବର୍ତ୍ତନ

ଢେଙ୍କାନାଳ: ୫ବର୍ଷ ବୟସର ଶିଶୁ। ସମାଜ, ଜାତି, ଗୋତ୍ର, ଧର୍ମ କ’ଣ ଜାଣିବା ଆଗରୁ ସେମାନଙ୍କ କଅଁଳ ମୁଣ୍ଡରେ ଭରି ଦିଆଯାଇଛି ବି‌ଷ ବିଚାର। ଭଗବାନଙ୍କୁ ନେଇ କରାଯାଇଛି ବାଛବିଚାର, ଭାଗବଣ୍ଟା। ପରିଣାମସ୍ବରୂପ ବାଳୁତ ବୟସରେ ପିଲାମାନେ ଜଗନ୍ନାଥଙ୍କ ଜଣାଣ ଗାଇବାକୁ ମନା କରୁଛନ୍ତି। ହାତଯୋଡ଼ି ନମସ୍କାର ହେବାକୁ କୁଣ୍ଠିତ ହେ‌ଉଛନ୍ତି। ବରଂ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାର୍ଥନା, ଗୀତ ଗାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ୫ଦିନ ତଳେ ଢେଙ୍କାନାଳ ବେଲ୍‌ଟିକିରି ‘ଗୁଡ୍‌ ନ୍ୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେଣ୍ଟର’ରୁ ଉଦ୍ଧାର ହୋଇଥିବା ଛୋଟ ଛୋଟ ଶିଶୁମାନଙ୍କର ଏ ପ୍ରକାର ଆଚରଣ ସମସ୍ତଙ୍କୁ ହତବାକ୍‌ କରିଛି। ଉଦ୍ଧାର ପରେ କୁନି ପିଲାମାନେ ଏବେ ଢେଙ୍କାନାଳ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନରେ ରହୁଥିବା ବେଳେ ସେମାନଙ୍କ ମୁଣ୍ଡରେ ଏଭଳି କ୍ରୂର ବିଚାର ଭର୍ତ୍ତି କରାଯାଇଛି ଯେ ସେମାନେ ଧର୍ମକୁ ନେଇ ବାଛବିଚାର କରୁଛନ୍ତି। ସୂଚନା ମୁତାବକ, ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନରେ ବେଲ୍‌ଟିକିରିରୁ ଉଦ୍ଧାର ୩୨ଜଣ ଶିଶୁଙ୍କୁ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ‌େଢଙ୍କାନାଳ ଓ ଅନୁଗୁଳ ଜିଲ୍ଲାର।

ବିଶେଷ କରି ଢେଙ୍କାନାଳ ଦକ୍ଷିଣକାଳୀ ରୋଡ଼୍‌ ସରଜଙ୍ଗ ସାହି, ସଞ୍ଜୟ କଲୋନି, ଓଡ଼ାପଡ଼ା ବ୍ଲକ ମୋଟଙ୍ଗା, କଙ୍କଡ଼ାହାଡ଼ ବ୍ଲକ କୀର୍ତ୍ତନପୁର, କଣ୍ଟାପାଳ, କେନ୍ଦୁମୁଣ୍ଡା, ଅଡ଼ାପଲ୍ଲୀ ଓ ଅନୁଗୁଳ ଜିଲ୍ଲା ସାନକେରଜାଙ୍ଗ ଅଞ୍ଚଳର ଶିଶୁମାନେ ଅଛନ୍ତି। ଏମାନଙ୍କ ବୟସ ପ୍ରାୟ ୫ରୁ ୧୦ବର୍ଷ ହେବ। ଅଳ୍ପ କିଛି ବର୍ଷ ହେଲା ଏମାନଙ୍କୁ ଘରୁ ଅଣାଯାଇ ସେଲଟର ହୋମ୍‌ରେ ଥଇଥାନ କରାଯାଇଥିଲା। ଏଠାକୁ ଆସିବାର ମୂଳ କାରଣ ହେଉଛି ଦାରିଦ୍ର୍ୟ। କାହାର ବାପା ନାହାଁନ୍ତି ତ, ଆଉ କାହାର ମା’ ନାହାନ୍ତି। ଏଭଳି ସ୍ଥିତିରେ ପିଲାମାନଙ୍କୁ ପାଠ ପଢ଼ାଇବା ଉଦ୍ଦେଶ୍ୟରେ ଏଠାକୁ ଅଣାଯାଇଥିଲା। ଖାଦ୍ୟପେୟ ସାଙ୍ଗକୁ ସ୍ଥାନୀୟ ସରକାରୀ ସ୍କୁଲକୁ ପାଠ ପଢ଼ାଇବା ପାଇଁ ଛଡ଼ାଯାଉଥିଲା। ପ୍ରାୟତଃ ଶିଶୁ ବେଲଟିକିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିଲେ। ସେଲଟର ହୋମରେ ରହଣି ବେଳାରେ ସକାଳ ଓ ସଞ୍ଜରେ ପ୍ରାର୍ଥନା କ୍ଲାସ କରୁଥିଲେ।
କିନ୍ତୁ ସେଲଟର୍‌ ହୋମ୍‌ରେ ଚାଲିଥିବା କେଳେଙ୍କାରୀ ପଦାକୁ ଆସିବା ପରେ ଗୋଟିଏ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନରେ ରହୁଥିବା ଏହି ଉଦ୍ଧାର ପିଲାମାନେ ଏବେ ଅନ୍ତେବାସୀଙ୍କ ସହିତ ଏକାଠି ପ୍ରାର୍ଥନା କରିବାକୁ ମନା କରୁଛନ୍ତି। ପ୍ରାର୍ଥନାରେ ଜଗନ୍ନାଥ ଜଣାଣ ହେଉଥିବାରୁ ପିଲାମାନେ ଏହାକୁ ଗାଇବାକୁ ସଂକୋଚ କରୁଛନ୍ତି। ଏମିତିକି ନମସ୍କାର କରିବାକୁ ବି କୁଣ୍ଠିତ ହେଉଥିବା ଜଣାପଡ଼ିିଛି। ବରଂ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାର୍ଥନା କରିବାକୁ ସେମାନେ କହୁଥିବା ଜଣେ କର୍ତୃପକ୍ଷ ନିଜ ନାମ ଗୋପନ ରଖି କହିଛନ୍ତି।
କେବଳ ସେତିକି ନୁହେଁ, ପିଲାମ‌ାନେ ନିଜ ଘରୁ ଯିବା ପରେ ତାଙ୍କ ନାଁକୁ ମଧ୍ୟ ଅନୁଷ୍ଠାନରେ ପରିବର୍ତ୍ତନ କରି ଦିଆଯାଇଛି। ନୂଆ ନାମକରଣ କରି ସ୍କୁଲରେ ସେମାନଙ୍କର ନାମ ଲେଖାଯାଇଛି ବୋଲି ଅଭିଭାବକମାନେ କହିଛନ୍ତି। ଏ ସବୁ ଘଟଣା ଅନୁଷ୍ଠାନରେ ଚାଲିଥିବା ଧର୍ମାନ୍ତରୀକରଣ ଗୁମରକୁ ଖୋଲି ଦେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଅାସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର