ମା’ ଓ ସାନଭାଇକୁ ଗିରଫ ଦାବିରେ ରାସ୍ତାରୋକ

ଗାଁ’ ଦାଣ୍ଡରୁ ବାଳକକୁ ଅପହରଣ ପରେ ହତ୍ୟା ଘଟଣା

ପର୍ଜଙ୍ଗ/ମୁକ୍ତାପଶି: ପର୍ଜଙ୍ଗ ବ୍ଲକ ମୁକ୍ତାପଶି ଗାଁ ଦାଣ୍ଡରୁ ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରବୀଣ ସାହୁଙ୍କୁ ଗତ ୧୫ତାରିଖ ଦିନ ଅପହରଣ ପରେ ହତ୍ୟା କରାଯାଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ଖୋଦ୍‌ ନିଜ ବଡ଼ ବାପା ପୁଅ ସତ୍ୟସ୍ୱରୂପ ସାହୁ(୨୫)ଙ୍କୁ ପୁଲିସ ଗିରଫ କରିଥିଲା। କିନ୍ତୁ ମୁଖ୍ୟ ଅଭିଯୁକ୍ତର ସାନଭାଇ ଓ ମା’ଙ୍କର ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଏଯାବତ୍‌ ସେମାନଙ୍କୁ ଗିରଫ କରାଯାଇ ନ ଥିବାରୁ ଆଜି ସକାଳେ ୫୩ନମ୍ବର ଜାତୀୟ ରାଜପଥକୁ ମୁକ୍ତାପଶି ଗାଁ ଲୋକେ ସ୍ଥାନୀୟ ମେଡିକାଲ ଛକ ନିକଟରେ ଦୀର୍ଘ ଦୁଇ ଘଣ୍ଟା କାଳ ଅବରୋଧ କରିଥିଲେ। ମୁଖ୍ୟ ଅଭିଯୁକ୍ତକୁ କଠୋରରୁ କୋଠାର ଦଣ୍ଡ ଦେବା ସହିତ ଅନ୍ୟ ଅଭିଯୁକ୍ତ ମା’ ଓ ପୁଅଙ୍କୁ ଗିରଫ କରିବାକୁ ଲୋକେ ଦାବି କରିଥିଲେ। ସୂଚନା ପାଇ କାମାକ୍ଷାନଗର ଆଇଆଇସି ଜ୍ଞାନରଞ୍ଜନ ସାମଲ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ପ୍ରମାଣ ମିଳିଲେ ଅନ୍ୟମାନଙ୍କୁ ବି ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ସାମଲ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ମୁକ୍ତାପଶି ସରପଞ୍ଚ ରଞ୍ଜନ ସେଠୀ, ସର୍ବେଶ୍ୱର ବିଶ୍ୱାଳଙ୍କ ସମେତ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ରାସ୍ତାରୋକରେ ସାମିଲ ହୋଇଥିଲେ। ଏହି ମର୍ମରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା।

ସମ୍ବନ୍ଧିତ ଖବର