କାମାକ୍ଷାନଗର: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ତୁମୋସିଙ୍ଘା ଥାନା ଅଞ୍ଚଳର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ସୋଗର ସାଳୁଆ ଛକ ଠାରୁ ଅଳ୍ପ ଦୂରରେ ଗୋଟାଏ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋଟାଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତିମାନେ ହେଲେ ୭୫ ବର୍ଷିୟ ଉପେନ୍ଦ୍ରନାଥ ଜେନା, ପତ୍ନୀ ୭୦ ବର୍ଷୀୟ ପ୍ରଫୁଲ୍ଲା ଓ ବୋହୂ ୩୭ ବର୍ଷୀୟ ପଙ୍କଜିନୀ । ଶ୍ୱଶୁର ଓ ବୋହୂ ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ। ଅଧିକ ଚିକିତ୍ସା ପାଇଁ ପ୍ରଫୁଲ୍ଲାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା ଏବଂ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଉପେନ୍ଦ୍ରଙ୍କ, ୪୫ ବର୍ଷିୟ ପୁଅ ସମୀର, ୧୦ ବର୍ଷୀୟ ନାତୁଣୀ ପ୍ରୀତିରଞ୍ଜନ ଓ ୭ ବର୍ଷିୟ ପୁସିରଞ୍ଜନ ଗୁରତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
OR14F4785 ନମ୍ବରବିଶିଷ୍ଟ ମାରୁତି ଓ୍ଵାଗ୍ନର୍ ଗାଡ଼ିରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ। ଦ୍ରୁତଗତିରେ ଯାଉଥିବା କାର୍ଟି ରାସ୍ତା ପାର ହେଉଥିବା ଗୋଟାଏ ବଣୁଆ ବାର୍ହା ଉପରେ ଧକ୍କା ଖାଇଥିଲା। ଫଳରେ ଚାଳକ ନିୟନ୍ତ୍ରଣ ହରାଇଥିଲେ ଓ କାର୍ଟି ରାସ୍ତାରୁ ହଟିଯାଇ ପ୍ରାୟ ୩୦ ଫୁଟ୍ ଦୂରରେ ଲେଉଟି ପଡ଼ିଥିଲା।
ସେମାନଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ୍ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା।
ସମୀରଙ୍କ ଘର ଜଗତ୍ସିଂହପୁର ଜିଲ୍ଲା ଅନ୍ତର୍ଗତ ଡିହସାହିରେ ଓ ସେ ରାଉରକେଲା ଇସ୍ପାତ କାରଖାନାରେ ଚାକିରି କରନ୍ତି।
ତୁମୁସିଙ୍ଘା ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/car-overturns.jpg)