ଭୁବନ: ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଛକ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀର କେୟାରଟେକର ଅଲେଖ ସେନାପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଗତକାଲି ଗୁରୁବାର ସନ୍ଧ୍ୟା ସମୟରେ ଶ୍ରମିକମାନେ କାମ ସାରି ଘରକୁ ଫେରିଯିବା ପରେ ୨୪ ବର୍ଷୀୟ ଯୁବକ ଅଲେଖ ନର୍ସରୀରେ ଥିଲେ । ଏକା ଥିବା ସୁଯୋଗ ନେଇ କେହି ଦୁବୃର୍ତ୍ତ ପଛପଟୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା କୁହାଯାଉଛି । ଘରକୁ ଫେରିବା ବିଳମ୍ବ ହେବାରୁ ଅଲେଖଙ୍କ ସାନଭାଇ ନର୍ସରୀ ଆସି ଦେଖିଲେ ଯେ ନର୍ସରୀ ଭିତରେ ବଡ଼ଭାଇ ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଶ ଅବସ୍ଥାରେ ପଡ଼ି ରହିଥିଲେ । ସେ ସଙ୍ଗେ ସଙ୍ଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ତେବେ ଆକ୍ରମଣରେ ପଛପଟ ମୁଣ୍ଡ ଓ ବେକରେ ଗଭୀର ଆଘାତ ହୋଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଭୁବନ ପୁଲିସ ପକ୍ଷରୁ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଭୁବନ ଡାକ୍ତରଖାନାରେ ରଖାଯାଇଥିବାବେଳେ ଆଜି ନିଳକଣ୍ଠପୁର ବଜାର କମିଟି ପକ୍ଷରୁ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରାଯାଇଥିଲା । ଭୋର ସକାଳୁ ରାସ୍ତାରୋକ ହୋଇଥିବାରୁ ଅନେକ ଯାତ୍ରୀ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା । ମୃତକ ପରିବାରକୁ ୨୦ ଲକ୍ଷ୍ୟ ସହାୟତା ଓ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରହିଥିଲା । ପରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଓ ଭୁବନ ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତାରୋକ ହଟିଥିଲା । ମୃତ ଅଲେଖ ଦୁଇବର୍ଷ ହେବ ବିବାହ କରିଥିବାବେଳେ ତାଙ୍କ ସ୍ତ୍ରୀ ଓ ଦେଢ଼ ବର୍ଷର ଏକ ଶିଶୁପୁତ୍ର ଏବେ କେମିତି ଚଳିବେ ବୋଲି ସାଧାରଣରେ ଶୋକ ପ୍ରକାଶ ପାଇଛି ।