କାମାକ୍ଷାନଗର: କୋଭିଡ୍ ରୋଗ ଯେତିକି ଭୟଙ୍କର, ତା’ଠାରୁ ବେଶି ଭୟଙ୍କର ରୋଗୀ ପ୍ରତି ଆମ ସମାଜରେ ଆରମ୍ଭ ହୋଇଥିବା ଛୁଆଁ ଅଛୁଆଁ ଭେଦଭାବ। ଏ ରୋଗ ହେଲେ ଆମକୁ କେହି ଛୁଇଁବେ ନାହିଁ, ମରିଗଲେ ଶବକୁ କେହି ପୋଡ଼ିବାକୁ ନେବେ ନାହିଁ। ଏହି ଭୟ ବର୍ତ୍ତମାନ ଗାଁ ଗଣ୍ଡାର ଜନ ମାନସକୁ ଏମିତି ଘାରିଛି ଯେ, ଭୂତାଣୁ ଜୀବନ ନେବା ପୂର୍ବରୁ କୋଭିଡ୍ ଭୟରେ ମଣିଷ ନିଜେ ନିଜେ ଆତ୍ମହତ୍ୟା କରୁଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲ ଗାଁରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଜି ବେଶ୍ ଚର୍ଚ୍ଚିତ ବିଷୟ ହୋଇଛି। ଆତ୍ମହତ୍ୟା କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ରବିନାରାୟଣ ବାରିକ(୬୫)। ମୂଲ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଜୁନ୍‌ ୭ତାରିଖରେ ସେ ଅସୁସ୍ଥତା ଅନୁଭବ କଲେ। ତାଙ୍କୁ ଜ୍ବର ହେବାରୁ ତାଙ୍କ ପୁଅ ତାଙ୍କୁ ମଠକରଗୋଳା ଡାକ୍ତରଖାନାକୁ ଚିକିତ୍ସା କରିବାକୁ ନେଇଥିଲେ।

Advertisment

publive-image India.com

ରବିନାରାୟଣଙ୍କୁ ଜ୍ବର ହେଉଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କୋଭିଡର ଆଣ୍ଟିଜେନ୍‌ ଟେଷ୍ଟ କରାଇବାକୁ କହିଲେ। ଦୁର୍ଭାଗ୍ୟକୁ ଆଣ୍ଟିଜେନ୍‌ ଟେଷ୍ଟ ପଜିଟିଭ୍‌ ଆସିଥିଲା। ସେଠାରେ ପରୀକ୍ଷା କରୁଥିବା କର୍ମଚାରୀ ରବି ନାରାୟଣଙ୍କୁ ସଚେତନ କରାଇଥିଲେ। ଘରେ କାହାକୁ ଛୁଇଁବ ନାହିଁ, ଏକୁଟିଆ ରହିବ, ଏକୁଟିଆ ଖାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ ବୋଲି ମୃତ ରବି ନାରାୟଣଙ୍କର ପୁଅ ଶହଦେବ ବାରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସେ ସମୟରେ କୋଭିଡ୍‌ର ଦ୍ବିତୀୟ ଲହର ଢେଙ୍କାନାଳ ଜିଲ୍ଲାରେ ଜୋର୍‌ ଚାଲିଥିଲା। ସବୁଆଡ଼େ ଭୟଙ୍କର ମରଣ ଚିତ୍ର ଥିଲା। ତା’ ଠାରୁ ବେଶି ବ୍ୟତିବ୍ୟସ୍ତ କରୁଥିଲା ଗାଁରେ କୋଭିଡ୍ ରୋଗୀଟିଏ ଚିହ୍ନଟ ହେଲେ ତା’ ପ୍ରତି ଲୋକଙ୍କର ଛୁଆଁ, ଅଛୁଆଁ ମନୋଭାବ। ଡାକ୍ତରଖାନାରୁ ରବିନାରାୟଣ ଏ ପ୍ରକାର ଛୁଆଁ ଓ ଅଛୁଆଁ ବାରଣ ଶୁଣିବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ସେହି କଥାଗୁଡ଼ିକ ମନରେ ଘୋରି ହେଉଥିଲେ ବୋଲି ରବି ନାରାୟଣଙ୍କର ପୁଅ ଶହଦେବ ପ୍ରକାଶ କରିଛନ୍ତି।
ଡାକ୍ତରଖାନା ପରାମର୍ଶ ମୁତାବକ, ଦୁଇ ଦିନ କାଳ ନିଜକୁ ରବି ନାରାୟଣ ସଂଗରୋଧରେ ରଖିଲେ। ତୃତୀୟ ଦିନ ଅର୍ଥାତ୍‌ ଜୁନ୍‌ ୧୦ତାରିଖ ରାତି ପାହାନ୍ତାରୁ ନିଜ ଘରୁ କୁଆଡ଼େ ନିଖୋଜ ହୋଇଗଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ସତ୍ତ୍ବେ ରବି ନାରାୟଣଙ୍କର କୌଣସି ପତ୍ତା ମିଳିଲା ନାହିଁ। ତେଣୁ, ତାଙ୍କ ପୁଅ ଶହଦେବ ଏନେଇ କାମାକ୍ଷାନଗର ଥାନାରେ ଏକ ଲିଖିତ ଅଭିଯୋଗ କରି ଏ ଛୁଆଁ ଅଛୁଆଁ କଥା ଦର୍ଶାଇଥିଲେ।
ନି‌ଖୋଜ ହେବାର ପ୍ରାୟ ୧୬ଦିନ ପରେ ଗାଁଠାରୁ ତିନି କିଲୋମିଟର ଦୂର ଜଙ୍ଗଲରେ ତାଙ୍କର ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଲୋକେ ରବି ନାରାୟଣଙ୍କର ଏ ଗଳିତ ଶବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଆଜି କାମାକ୍ଷାନଗର ଥାନା ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିଛି। ପରିବାର ଲୋକେ ଶବ ଚିହ୍ନଟ କରିବା ପରେ ଶବ ସଂସ୍କାର କରାଯାଇଛି। ଚିକିତ୍ସା ଅଭାବରୁ ଲୋକଟିଏ ମରିବା ପୂର୍ବରୁ ମହାମାରୀର ଭୟ କେମିତି ଲୋକଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଛି କାମାକ୍ଷାନଗର ଘଟଣା ଏକ ଚାକ୍ଷୁସ ପ୍ରମାଣ। ତେଣୁ, ଏ ଭୂତାଣୁ ଲଢ଼େଇରେ ସାମାଜିକ ଦୂରତା ଯେତିକି ବଢ଼ିବା ଆବଶ୍ୟକ ପରସ୍ପର ମଧ୍ୟରେ ଆତ୍ମୀୟତା, ସଦ୍‌ଭାବନା ମଧ୍ୟ ସେତିକି ବଢ଼ିବା ଆବଶ୍ୟକତା ରହିଛି।