ପରୀକ୍ଷା ଖରାପ କରିଥିବାରୁ ବାପାମାଆଙ୍କୁ ଭାବପ୍ରବଣ ଚିଠି ଲେଖି ଆତ୍ମହତ୍ୟା କଲେ ଛାତ୍ର

ପର୍ଜଙ୍ଗ: ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୁଇସାଇଡ୍‌ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରାଙ୍ଗସ୍ଥିତ ଆଇଜିଆଇଟି କ୍ୟାମ୍ପସରେ । କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ ଏଫ/୧୩ ରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାପଡ଼ିଛି ଯେ ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି  ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ(ଲିକୁ )। ବୟସ ୧୮।

ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ ଚାକିରି କରୁଛନ୍ତି । ତେଣୁ ସପରିବାର ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଛନ୍ତି । ଛାତ୍ର ଜଣଙ୍କ ନିଜ ସୁଇସାଇଡ୍‌ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି ।  ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ସେ  ନାଇଣ୍ଟି ପରସେଣ୍ଟ(୯୦%) ମାର୍କ ରଖିବା ପାଇଁ ଅସମର୍ଥ ଥିବାରୁ ଜୀବନ ହାରିଥିବା ପ୍ରକାଶ କରିଛନ୍ତି ।

ଗତକାଲି ଛାତ୍ରଙ୍କ ବାପାମାଆ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିଲେ। କ୍ଵାଟରରେ ବଡ ଭଉଣୀ ସହ ଛାତ୍ର ଅବିନାଶ ଥିଲେ। ଭଉଣୀ ଖରାବେଳେ ଶୋଇଯିବା ପରେ ଅନ୍ୟ ଏକ ରୁମରେ ଆତ୍ମ ହତ୍ୟା କରିଥିଲେ ଅବିନାଶ।  ତେବେ ଏ ନେଇ ଖବର ପାଇବା ପରେ ସ୍ଥାନୀୟ ପୁଲିସ ଗତକାଲି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଆଜି ସକାଳୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ପଠାଇ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର