ଢେଙ୍କାନାଳ ଯାଇ ପାରିବେନି ଏହି ୮ ଜିଲ୍ଲାର ଲୋକ, ପ୍ରବେଶ ନିଷେଧ ଘୋଷଣା କଲେ ଜିଲ୍ଲାପାଳ

ଢେଙ୍କାନାଳ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ହେତୁ ୮ଟି ଜିଲ୍ଲାରୁ ଲୋକଙ୍କୁ ନିଜ ଜିଲ୍ଲାକୁ ପ୍ରବେଶ ବାରଣ କରିଛି ଢେଙ୍କାନାଳ। ଯେଉଁ ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଢେଙ୍କାନାଳ ସେହି ଜିଲ୍ଲାର ଲୋକଙ୍କ ପ୍ରବେଶ ନି‌ଷେଧ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ସେହି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି, ବାଲେଶ୍ବର, ସୁନ୍ଦରଗଡ଼ ଓ ଅନୁଗୁଳ। ଏହି ୮ ଜିଲ୍ଲାରେ କରୋନା ଅ‌ାକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲୁଥିବା କାରଣରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସବୁ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଢେଙ୍କାନାଳକୁ ପ୍ରବେଶ ନିଷେଧ ଘୋଷଣା ହୋଇଛି।

ଯଦି କେହି ବ୍ୟକ୍ତି ଏହି ସବୁ ଜିଲ୍ଲାରୁ ଢେଙ୍କାନାଳକୁ ଅ‌ାସୁଛନ୍ତି ତେବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି। ଏପଟେ କୋରାପୁଟ ଜିଲ୍ଲା ଗଞ୍ଜାମ ଜିଲ୍ଲାର ଲୋକଙ୍କୁ କୋରାପୁଟକୁ ପ୍ରବେଶ ନିଷେଧ ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟରେ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର