ଢେଙ୍କାନାଳ: ଢେଙ୍କାନାଳ ସେଲ୍ଟର ହୋମ୍ କେଳେଙ୍କାରୀ ମାମଲାରେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫାୟାଜ୍ ରେହମାନ୍ ଓରଫ ଡାଡିଙ୍କୁ ପୁଲିସ୍ ଆଉ ଦୁଇ ଦିନ ରିମାଣ୍ଡରେ ନେଇଛି। ଫାୟାଜ୍ ରେହମାନଙ୍କୁ ପୂର୍ବରୁ ସଦର ଥାନା ପୁଲିସ୍ ଡିସେମ୍ବର ୪ରୁ ୨ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରମାଣ୍ଡ ଅବଧି ଡିସେମ୍ବର ୫ରେ ଶେଷ ହେବା ପରେ ପୁଲିସ୍ ଅଧିକ ପଚରାଉଚରା ପାଇଁ ଆଉ ଦିନ ରମାଣ୍ଡରେ ନେଇଛି। ସ୍ୱତନ୍ତ୍ର ପକ୍ସୋ ଅଦାଲତ ରିମାଣ୍ଡ ଅନୁମତି ଦେଇଛନ୍ତି।
ସେଲ୍ଟର୍ ହୋମ୍ ଅନ୍ତେବାସିନୀଙ୍କୁ ଅସଦାଚରଣ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଛି। ଅନ୍ତେବାସିନୀଙ୍କୁ କେବଳ ଅସଦାଚରଣ ନୁହେଁ, ସେମାନଙ୍କ ଧର୍ମ ପରିବର୍ତନ ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଅନୁଷ୍ଠାନର ଅଧ୍ୟକ୍ଷ ହମାନ୍ ଓ ତାଙ୍କର ଦୁଇ ସହଯୋଗୀ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା।
ସଦର ଥାନା ପୁଲିସ ତାଙ୍କୁ ରିମାଣ୍ତରେ ଆଣି ଜେରା ଚଳାଇଥିବା ଜଣାପଡ଼ିଛି। ଅନୁଷ୍ଠାନକୁ ବିଦେଶୀମାନେ କାହିଁକି ଆସୁଥିଲେ, ଛାତ୍ରୀମାନଙ୍କୁ ଏଠାରେ କିପରି ରଖାଯାଉଥିଲା, କାହା ନିର୍ଦ୍ଦେଶରେ ଧର୍ମ ପରିବର୍ତନ ପାଇଁ ଉଦ୍ୟମ କରାଯାଉଥିଲା, ଅସଦାଚରଣରେ ଆଉ କେଉଁମାନେ ସ˚ପୃକ୍ତ, କେତେକ ନାବାଳିକା ଛାତ୍ରୀ ପ୍ରାପ୍ତବୟସ୍କା ହେବା ପରେ ସେମାନଙ୍କୁ ବାହାରକୁ ପଠାଯିବାର କାରଣ କ’ଣ, ଏବେ ସେମାନେ କେଉଁଠି ଅଛନ୍ତି, କ’ଣ କରୁଛନ୍ତି, କେତେକ ପ୍ରାପ୍ତବୟସ୍କ ଛାତ୍ରୀଙ୍କୁ ଜବରଦସ୍ତ କାହିଁକି ଅନୁଷ୍ଠାନରୁ ବିଦା କରାଯାଇଛି ଆଦି ପ୍ରଶ୍ନର ଉତ୍ତର ପାଇବାକୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନୁଷ୍ଠାନର ୧୧ ଜଣ ଝିଅଙ୍କୁ ରାଜ୍ୟ ବାହାରକୁ ପଠାଇ ଦିଆଯାଇଥିବା ଏସ୍ପି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି। ସେମାନଙ୍କୁ ଠାବ କରିବା ପାଇଁ ପୁଲିସ୍ର ୩ଟି ଦଳ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି ଏସ୍ପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଆଜି ଡ. ରେହମାନଙ୍କୁ ଜେଲ୍ରୁ ପୁଲିସ ନେବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କିନ୍ତୁ ଡ. ରେହମାନ୍ ମୁହଁ ଖୋଲି ନଥିଲେ। ପୁଲିସ ତାଙ୍କୁ ସୁରକ୍ଷାବଳୟ ମଧ୍ୟରେ ନେଇ ଗାଡ଼ିରେ ବସାଇ ଚାଲିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Dhenkanal.jpg)