କାମାକ୍ଷାନଗର: ଘରୁ ନେଲେ, କରୋନାରେ ମୃତ ଶିକ୍ଷକଙ୍କ ଶବକୁ ସତ୍କାର ବଦଳରେ ଜଙ୍ଗଲରେ ଫିଙ୍ଗିଲେ

କାମାକ୍ଷାନଗର: କରୋନା କାଳର କରୁଣ ଚିତ୍ର । ୧୪ ଘଂଟା ପରେ ବି ଅବସର ପ୍ରାପ୍ତ ଶିକ୍ଷକଙ୍କୁ ମିଳିଲାନି କାନ୍ଧ । ଶବକୁ ଘରୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ । ଏଭଳି ଘଟଣା ଘଟିଛି କାମାକ୍ଷାନଗର ମୁଣ୍ଡି ଦେଉଳି ଅଂଚଳରେ । ରବିବାର ରାତି ପ୍ରାୟ ୧୦ଟାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସାରଙ୍କ ମୃତ୍ୟୁ ହୋଇଥିଲା ।

ଗତ ସପ୍ତାହେ ହେବ ସେ ଜ୍ୱରରେ ପୀଡିତ ଥିଲେ । ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ରବିବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ଆଉ ମୃତ୍ୟୁ ପରେ କରୋନା ଭୟରେ ତାଙ୍କ ଶବକୁ କେହି ଛୁଇଁ ନଥିଲେ । ବଡ ପୁଅ କରୋନା ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘରେ ଥିବା ବୋହୂ, ନାତି ମଧ୍ୟ କରୋନା ସଂକ୍ରମିତ ହୋଇ ସଂଗରୋଧରେ ଅଛନ୍ତି । ଏହାରି ଭିତରେ ତାଙ୍କ ଶବ ଘରେ ୧୪ ଘଂଟା ପଡି ରହିଥିଲା । ଏନେଇ କାମାକ୍ଷାନଗର ପ୍ରଶାସନକୁ ଖବର ଦିଆଯାଇଥିଲା ।

ଏନଏସି ପକ୍ଷରୁ ଶେଷରେ ଶ୍ୟାମ ସାରଙ୍କ ଶବ ଉଠାଇବା ବ୍ୟବସ୍ଥା କରାଯାଇଛି । ପିପିଇ କିଟ ପିନ୍ଧି ଘରୁ ଶ୍ୟାମ ସାରଙ୍କ ଶବକୁ ନେଇଥିଲେ । ହେଲେ ଶବ ସତ୍କାର ନକରି ଗାଁ ଠାରୁ ଦୂରରେ ଥିବା ଯନ୍ତାରିବୋଲ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ସାରା ଅଂଚଳରେ ଛାତ୍ର ବତ୍ସଳ ଶିକ୍ଷକଙ୍କ ଶବ ପ୍ରତି ଏପରି ବ୍ୟବହାର ଚାପା ଉତ୍ତେଜନା ସୃଷ୍ଟି କରିଛି । ଏନେଇ ଚର୍ଚ୍ଚା ଜୋର ଧରିବା ପରେ ରାତି ଅଧିଆ ଶବକୁ ପୋତି ଦିଆ ଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର