ବୁଲିବୁଲି ଲୁଟୁଥିଲା ଡକାୟତ ଗ୍ୟାଙ୍ଗ୍‌ : ଅନୁଗୁଳରୁ କେନ୍ଦ୍ରାପଡ଼ା ଭାୟା କଟକ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥ କୋରିହାଁ ଛକରୁ ଗତ ୧୧ ତାରିଖ ରାତିରେ ପୁଲିସ ଧରିଥିବା ଡକାୟତ ଗ୍ୟାଙ୍ଗ୍‌ର କ୍ରାଇମ୍‌ ରେକର୍ଡ଼ ଖୋଲିଛି ପୁଲିସ। ଅଭିଯୁକ୍ତମାନେ ଚୋରି, ରାହାଜାନୀ ଓ ଡକାୟତିରେ ମାହିର୍‌ ଥିଲେ। ଡକାୟତି ଗ୍ୟାଙ୍ଗ୍‌ର ସଂଗଠିତ ଅପରାଧ (କ୍ରାଇମ୍‌ ସିଣ୍ଡିକେଟ୍‌) ଅନୁଗୁଳରୁ କେନ୍ଦ୍ରାପଡ଼ା ଭାୟା କଟକ ଦେଇ ୬ଟି ଜିଲ୍ଲାରେ ବିସ୍ତାରି ଥିଲା। ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରପଡ଼ା, ଭଦ୍ରକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଡକାୟତି ଗ୍ୟାଙ୍ଗ୍‌ ବେଧଡ଼କ ବୁଲିବୁଲି ଲୁଟୁଥିଲେ। ଢେଙ୍କାନାଳ ସଦର ଥାନାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ ଏ ସଂପର୍କରେ ବିସ୍ତତ ସୂଚନା ଦେଇଛନ୍ତି।

୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଢେଙ୍କାନାଳରୁ ଧରିଥିବା ବେଳେ କେନ୍ଦ୍ରାପଡ଼ାରୁ ଆଉ ଦୁଇ ଜଣଙ୍କୁ ଉଠାଇ ଆଣିଥିଲା। ସେଥିରୁ କେନ୍ଦ୍ରାପଡ଼ା ଜିଲ୍ଲା ରସୁଲଗୋଡ଼ ଗୋପ୍‌ର ସେକ୍‌ ଲତିଫ୍‌(୩୦), ଭଦ୍ରକ ଜିଲ୍ଲା ଦଦରାର ସାଜିଦ୍‌ ଖାଁ ଓରଫ୍‌ ରାଜା(୩୪), କଟକ ଲାଲ୍‌ବାଗ୍‌ ଥାନା ଅଞ୍ଚଳର ସବିର୍‌ ଖାଁ (୨୯) ଏବଂ କାଳୀଗଳିର ସେକ୍‌ ଫିରୋଜ୍‌ ଓରଫ୍‌ ବାରୁଦ(୨୫) ପ୍ରମୁଖ ୪ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ ବିଭିନ୍ନ ମାମଲାରେ ସାମିଲ ଥିବାରୁ ସେମାନଙ୍କର ତଦନ୍ତ ଚାଲିଛି ବୋଲି ଏସ୍‌ପି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କଠାରୁ ନଗଦ ୭୨ ହଜାର ଟଙ୍କା, ପିସ୍ତଲ, ୫ଟି ଜୀବନ୍ତ ଗୁଳି, ଛୁରି, ଲ୍ୟାପ୍‌ଟପ୍‌, ୧୧ଟି ମୋବାଇଲ୍‌, ୩ଟି ପର୍ସ, ୪ଟି ହାତଘଣ୍ଟା ସହିତ ସେମାନେ ବ୍ୟବହାର କରୁଥିବା ବୋଲେରୋ ଗାଡ଼ି ଜବତ କରାଯାଇଛି।

ପୁଲିସର ସୂଚନା ଅନୁଯାୟୀ, ଗତ ୧୧ ତାରିଖ ରାତିରେ ଜବତ ନମ୍ବର ବିହୀନ ବୋଲେରୋରେ ୫ଜଣ ଡକାୟତ କଟକ ମଙ୍ଗୁଳି ଛକଠାରୁ ୪ଜଣ ବେପାରୀଙ୍କୁ ଅନୁଗୁଳରେ ଛାଡ଼ି ଦେବାକୁ କହି ଗାଡ଼ିରେ ବସାଇଥିଲେ। କିନ୍ତୁ ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ନିକଟସ୍ଥ ଜଙ୍ଗଲଠାରେ ପିସ୍ତଲ ଓ ଛୁରୀ ଦେଖାଇ ସେମାନଙ୍କଠାରୁ ୫୬ହଜାରରୁ ଅଧିକ ଟଙ୍କା ଓ ୪ଟି ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ। ବେପାରୀମାନଙ୍କୁ ସେଠାରେ ଛାଡ଼ି ପଳାଇ ଆସିଥିଲେ। ଏହି ସମୟରେ ନମ୍ବର ବିହୀନ ବୋଲେରୋକୁ ଦେଖି ପୁଲିସ ପାଟ୍ରୋଲିଂ ଗାଡ଼ି ପିଛା କରି କୋରିହାଁ ଛକଠାରେ ଗାଡ଼ିକୁ ଧରିଥିଲା। ଲୁଟ୍‌ପାଟର ଶିକାର ହୋଇଥିବା ବେପାରୀ କପିଳାସ ପରିଡ଼ାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ କେସ୍‌ ନମ୍ବର ୩୫୩/୧୭, ଦଫା ୩୯୫,୨୫ ଓ ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରିଛି।

ସେହିଦିନ ରାତିରେ ଡାକାୟତ ଗ୍ୟାଙ୍ଗ୍‌ ଜଗତ୍‌ପୁର ପାଖରେ ଜଣେ ବ୍ୟକ୍ତିଙ୍କଠାରୁ ଲ୍ୟାପ୍‌ଟପ୍‌, ମୋବାଇଲ୍‌ ଏବଂ କିଛି ଟଙ୍କା ଲୁଟି ନେଇଥିଲେ। ଚଳିତ ମାସ ୯ ତାରିଖ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିକଟରେ ଜଣେ ଅଟୋ ଚାଳକଙ୍କଠାରୁ ୧୦ ହଜାର ଟଙ୍କା, ୧୦ ତାରିଖ ଭୋର୍‌ରୁ ପାଣିକୋଇଲିଠାରେ ମୋଟଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା, ୨ଟି ମୋବାଇଲ୍‌ ନେଇ ଫେରାର୍‌ ହୋଇଯାଇଥିଲେ। ସେହିପରି ଗତ ସେପ୍ଟେମ୍ବର ମାସ ୪ ତାରିଖରେ ଢେଙ୍କାନାଳ ଆନ୍ଧ୍ରବ୍ୟାଙ୍କ୍‌ର ଦୁଇ ଜଣ କର୍ମଚାରୀ କଟକ ଯିବା ପାଇଁ ଢେଙ୍କାନାଳ କଲେଜ ବାଇପାସଠାରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ କଟକରେ ଛାଡ଼ି ଦେବା ପାଇଁ କହି ଗାଡ଼ିରେ ବସାଇଥିଲେ। କିନ୍ତୁ ରାସ୍ତାରେ ସେମାନଙ୍କଠାରୁ ସୁନା ବ୍ରେସ୍‌ଲେଟ୍‌, ୩ଟି ମୁଦି, ହାତ ଘଣ୍ଟା, ମୋବାଇଲ୍‌ ଏବଂ ଏଟିଏମ୍‌ କାର୍ଡ଼ ଲୁଟି ନେଇଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଡାକୟତି ଗ୍ୟାଙ୍ଗ୍‌ର ମୁଖିଆ ସେକ୍‌ ଲତିଫ୍‌ର ହାଇଦର ପୁଅ ସହ ସମ୍ପର୍କ ଥିବା ପୁଲିସ ସ୍ପଷ୍ଟ କରିଛି।

୩ ବର୍ଷ ତଳେ ହଣ୍ଡପା ଡାକୟତି ମାମଲାରେ ସେ ଅନୁଗୁଳ ଜେଲ୍‌ରେ ରହିଥିଲା। ଗତ ଅଗଷ୍ଟ ୨୧ ତାରିଖରେ ଜେଲ୍‌ରୁ ବାହାରିବା ପରେ ବିହାରର ମୁଙ୍ଗେରକୁ ଯାଇ ସେଠାରେ ଚୋରା ବନ୍ଧୁକ କାରବାର କରୁଥିବା ଏକ ଗ୍ୟାଙ୍ଗ୍‌ ସହିତ ସାମିଲ୍‌ ହୋଇ ବିଭିନ୍ନ ସ୍ଥାନକୁ ଚୋରା ବନ୍ଧୁକ ଚାଲାଣ କରୁଥିଲା। ସେମାନଙ୍କଠାରୁ ଜବତ ପିସ୍ତଲଟି ସେଠାରୁ ଅଣାଯାଇଥିବା ସେ ସ୍ୱୀକାର କରିଛି। ପୂର୍ବରୁ ଲତିଫ୍‌ ନାମରେ ପାଣିକୋଇଲି, ହଣ୍ଡପା ସମେତ ବିଭିନ୍ନ ଥାନାରେ ମାମଲା ରହିଛି। ଗିରଫ ଡକାୟତମାନେ ଆନ୍ତଃରାଜ୍ୟ ଲୁଟେରା ହୋଇଥିବାରୁ ସେମାନଙ୍କର ବିଭିନ୍ନ ଅପରାଧିକ ମାମଲା ସମେତ ଚୋରା ବନ୍ଧୁକ କାରବାର ସମ୍ପର୍କରେ ଅଧିକ ଛାନ୍‌ଭିନ୍‌ ଚାଲିଛି ବୋଲି ଏସ୍‌ପି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ନିରଞ୍ଜନ ପାତ୍ର, ସଦର ଥାନା ଅଧିକାରୀ ହାଡ଼ିବନ୍ଧୁ ସ୍ୱାଇଁ, ଟାଉନ୍‌ ଥାନା ଅଧିକାରୀ ଅଭିନବ ଡାଳୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର