ଭୁବନ ମାଟିର ଚମକ ସୁଦୀପ ସୁଦର୍ଶନ : ଦୁଇ ବର୍ଷରେ ଡବଲ୍‌ ଟପର୍‌

ଭୁବନ : ଦୁଇ ବର୍ଷ ତଳେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ରାଜ୍ୟରେ ଟପର୍‌ ହୋଇଥିବା ଢେଙ୍କାନାଳ ଜିଲ୍ଲାର ପୁଅ ସୁଦୀପ ରଣା ଏଥର ବି ବାଜି ମାରିଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୫୭୪ନମ୍ବର ରଖି ଦୁଇ ବର୍ଷ ତଳର ମାଟ୍ରିକ୍‌ ରେକର୍ଡକୁ ଦୋହରାଇଛନ୍ତି। ସାରା ରାଜ୍ୟରେ ଦୁଇ ବର୍ଷରେ ଡବଲ୍ ଟପର୍‌ର ବିରଳ ରେକର୍ଡକୁ ନିଜ ନାମରେ ନାମିତ କରିଛନ୍ତି। ସୁଦୀପଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ। ବାପା ରଞ୍ଜନ କୁମାର ରଣା ଭୁବନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ। ମା ହେଉଛନ୍ତି ଭକ୍ତିଲତା ସାହୁ। ୨୦୧୮ମସିହାରେ ମାଟ୍ରିକ୍‌ ପରୀକ୍ଷାରେ ମୋଟ୍ ୬୦୦ରୁ ୫୮୨ନମ୍ବର(୯୭%) ନମ୍ବର ରଖି କେବଳ ଭୁବନ ପାଇଁ ନୁହେଁ, ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଥିଲେ। ପରେ ଭୁବନେଶ୍ବର ଜୁପିଟର ସାଇନ୍‌ସ କଲେଜରେ ଯୁକ୍ତ ବିଜ୍ଞାନ ପଢ଼ିଥିଲେ। ଏବେ ଯୁକ୍ତ ଦୁଇରେ ମଧ୍ୟ ଟପର୍‌ ହେବାର ଗୌରବ ଅର୍ଜିଛନ୍ତି। ରସାୟନ ବିଜ୍ଞାନ ଓ ଜୀବ ବିଜ୍ଞାନରେ ସେ ଶହେରୁ ଶହେ ନମ୍ବର ହାସଲ କରିଥିବା ବେଳେ ଗଣିତ ଏବଂ ପଦାର୍ଥ ବିଜ୍ଞାନରେ ଶହେରୁ ୯୯ଲେଖାଏ ନମ୍ବର ଆଣିଛନ୍ତି। ଭାଷା ଭତ୍ତିକ ବିଷୟ ଇଂରାଜୀରେ ୮୪ ଏବଂ ସଂସ୍କୃତରେ ତାଙ୍କୁ ୯୨ନମ୍ବର ମିଳିଛି। କଠିନ ପରିଶ୍ରମ ଏବଂ ଗୁରୁଜନଙ୍କ ଆଶୀର୍ବାଦକୁ ସେ ଏହାର ଶ୍ରେୟ ଦେଇଥିବା ବେଳେ ତାଙ୍କର ଲକ୍ଷ୍ୟ କଣ? ସେ ଆଗକୁ କଣ କରିବାକୁ ଚାହୁଁଛନ୍ତି?
ସେ ସମ୍ପର୍କରେ ସୁଦୀପଙ୍କ ସାକ୍ଷାତ୍‌କାରର କିଛିଅଂଶ…

କଠିନ ପରିଶ୍ରମ ହିଁ ସଫଳତାର ରହସ୍ୟ
ଟପର୍‌ ହେବାର ଡବଲ ରେକର୍ଡ। ଅନୁଭବ କେମିତି?
ବହୁତ ଖୁସି ଲାଗୁଛି। ଚାରିଆଡ଼ୁ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ମୋର ପରିଶ୍ରମର ଫଳ ଦେଲା ଭଳି ଅନୁଭବ ହେଉଛି।

ଟପର୍‌ ହେବା ପାଇଁ କିଛି ରହସ୍ୟଜନକ କୌଶଳ ଅଛି?
ରହସ୍ୟ କିଛି ନାହିଁ। କେବଳ ଗୋଟିଏ କୌଶଳ, ତାହା ହେଲା ପରିଶ୍ରମ। ପୂର୍ବରୁ ଅମେ ଅନେକ ଲୋକଙ୍କ ମୁହଁରୁ ଶୁଣିଛେ ଯେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ତାକୁ ହିଁ ମୋ ପାଠ ପଢ଼ାରେ ଲଗାଇଲି। ଦୈନିକ ୧୦ରୁ ୧୨ଘଣ୍ଟା ପରିଶ୍ରମ କରୁଥିଲି। ମୋ ବାପା, ମା ଏବଂ ଈଶ୍ବରଙ୍କ ଆଶୀର୍ବାଦ ମୋତେ ଆଗକୁ ବଢ଼ିବାକୁ ପ୍ରେରିତ କରୁଥିଲେ। ତେଣୁ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ।

ଆଗକୁ କ’ଣ କରିବେ?
ଆଗକୁ ମୁଁ ସ୍ନାତକ କରିବି। କେଉଁଥିରେ ଏବଂ କେଉଁଠାରେ କରିବି ତାହା ଏଯାବତ୍‌ ନିଷ୍ପତ୍ତି ହୋଇନାହିଁ। ବାପା, ମା’ ଏବଂ ଶିକ୍ଷକଙ୍କ ସହ ଆଲୋଚନା ପରେ ଏହାର ବିଚାର ହେବ। କିନ୍ତୁ, ଯେହେତୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ମୋର ଆନ୍ତରିକ ଇଚ୍ଛା, ତେଣୁ ସ୍ନାତକ ପଢ଼ି ସେହି ଦିଗରେ ମୁଁ ଅଗ୍ରସର ହେବାକୁ ଚାହୁଛି।

କେଉଁ ବିଷୟରେ ସ୍ନାତକ କରିବେ?
ପଦାର୍ଥ ବିଜ୍ଞାନ ମୋର ପସନ୍ଦଯୋଗ୍ୟ ବିଷୟ। ମୁଁ ତା ଭିତରେ ବୁଡ଼ି ରହିବାକୁ ଚାହେଁ। ମୁଁ ପଦାର୍ଥ ବିଜ୍ଞାନରେ ସମ୍ମାନ ସହ ସ୍ନାତକ କରିବାକୁ ଚିନ୍ତା କରିଛି।

ମାଟ୍ରିକ୍ ଟପର୍‌ ସମୟରେ ଆପଣ ଜଣେ ବୈଜ୍ଞାନିକ ହେବାର ସ୍ବପ୍ନ ଦେଖୁଥିଲେ। ଯୁକ୍ତ ଦୁଇରେ ଲକ୍ଷ୍ୟଚ୍ୟୁତ ହେଲା କାହିଁକି?
ମୁଁ ଲକ୍ଷ୍ୟଚ୍ୟୁତ ହୋଇନାହିଁ। ମୋ ଲକ୍ଷ୍ୟକୁ ପରିବର୍ତ୍ତନ କରିଛି, କେବଳ ଗୋଟିଏ ସାମୂହିକ ସେବା ମନୋବୃତ୍ତି ନେଇ। ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ଅର୍ଥ ତୃଣମୂଳସ୍ତରରେ ଲୋକଙ୍କ ସହ ମିଶିବା। ସେମାନଙ୍କ ପାଇଁ କାମ କରିବା। ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇ ସେବା କରିବାର ସୁଯୋଗ ପ୍ରଶାସନିକ ସେବାରେ ଯୋଗ ଦେଲେ ମିଳି ପାରିବ ବୋଲି ମୁଁ ଭାବୁଛି। ସେଥିପାଇଁ ମୋର ଲକ୍ଷ୍ୟ ପରିବର୍ତ୍ତନ ହୋଇଛି।

ସମ୍ବନ୍ଧିତ ଖବର