ଯୌତୁକ ନିର୍ଯାତନା ମାମଲା :ସ୍ୱାମୀ, ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କୁ ବର୍ଷେ ଜେଲ୍‌

ଢେଙ୍କାନାଳ : ମୋଟଙ୍ଗା ଥାନା ରାଣୀବଣିଆ ଗାଁରେ ୨୦୦୨ ମସିହାରେ ଘଟିଥିବା ଯୌତୁକ ନିର୍ଯାତନା ମାମଲାର ଶୁଣାଣି କରି ମହିଳା କୋର୍ଟ ବିଚାରପତି ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ସ୍ୱାମୀ, ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କୁ ୧ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ ୩ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ୧ ମାସ ଅଧିକ କାରାଦଣ୍ଡ ଭୋଗିବା ସହିତ ୪ ଡିପି ଆକ୍ଟରେ ୬ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ତଳ ବାଘଲୁଣ୍ଡା ଗ୍ରାମର ଶଙ୍କର୍ଷଣ ସାହୁଙ୍କ ଝିଅ ମାଳତୀ ସାହୁ ରାଣୀବଣିଆ ଗ୍ରାମର ବୀରବର ସାହୁଙ୍କ ପୁଅ ପ୍ରଦୀପ ସାହୁଙ୍କୁ ବୈଦିକ ରୀତିରେ ନିକଟ ସ୍ୱପ୍ନେଶ୍ୱର ଶିବ ମନ୍ଦିରରେ ବିବାହ କରିଥିଲେ। ବିଭାଘର ସମୟରେ କନ୍ୟାଘର ପକ୍ଷରୁ ଘରକରଣା ଜିନିଷ ସହିତ ୧୦ ହଜାର ଟଙ୍କା ଯୌତୁକ ଦିଆଯାଇଥିଲା। ବିଭାଘରର ୫ମାସ ପରେ ଶ୍ୱଶୁରଘର ଲୋକ ଅଧିକ ୧୦ହଜାର ଟଙ୍କା ଆଣିବା ପାଇଁ ମାଳତୀଙ୍କୁ ବାଧ୍ୟ କରିଥିଲେ । ଟଙ୍କା ଦେଇନପାରିବାରୁ ଶାଶୂଘରେ ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିଲେ। ଏ ସଂପର୍କରେ ମାଳତୀ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍‌ ତାକୁ ଗ୍ରହଣ କରିନଥିଲା। ପରେ ମାଳତୀ ଏ ସଂପର୍କରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହାର ଶୁଣାଣି କରି ମାନ୍ୟବର ଏସ୍‌ଡିଜେଏମ୍‌ ମୋଟଙ୍ଗା ଥାନା ଅଧିକାରୀଙ୍କୁ ଏହି ଘଟଣାରେ ମାମଲା ରୁଜୁ କରି କୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଆଦେଶ ପରେ ମୋଟଙ୍ଗା ଥାନା ପକ୍ଷରୁ ମାଳତୀଙ୍କ ଅଭିଯୋଗକୁ ଭିତିକରି ସ୍ୱାମୀ ପ୍ରଦୀପ, ଶ୍ୱଶୁର ବୀରବର, ଶାଶୂ ବିଳାସ ଓ ନଣନ୍ଦ କୁମାରୀ ଡଲିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ରିପୋର୍ଟ ଜିଆର୍‌ କେସ୍‌ ନଂ. ୫୭୧/୨୦୦୨କୁ କୋର୍ଟରେ ଦାଖଲ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ମହିଳା କୋର୍ଟ ବିଚାରପତି ସୁଶ୍ରୀ ନନ୍ଦ ଅଭିଯୁକ୍ତ ସ୍ୱାମୀ, ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କୁ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ଏପିପି ସୁଶାନ୍ତ କୁମାର ହୋତା, ଲକ୍ଷ୍ମୀଧର ପଣ୍ଡା, ଅଦ୍ୱୈତ ବାରିକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର