ନିଶାରେ ଫଶିଛି ଜୀବନ:ହାତ ପାହାନ୍ତାରେ ଡ୍ରଗ୍‌ସଠୁ ଡେନ୍‌ଡ୍ରାଇଟ୍‌

ସବୁଠି ଚାଲିଛି ଖୁଲମ୍‌ଖୁଲା ବେପାର:ସବୁ ଜାଣି ସଭିଏଁ ଚୁପ୍‌

ଢେଙ୍କାନାଳ: ଜିଲ୍ଲାର ଯୁବପିଢ଼ି ଏବେ ନିଶାରେ ଚୂର୍‌। କବଳିତ କଲାଣି ଗଞ୍ଜେଇ, ଚରସ, ମଦ, ଗଞ୍ଜେଇ ସିଗାରେଟ୍‌, ଡେନ୍‌ ଡ୍ରାଇଟ୍‌, ଫେବି କୁଇକ୍‌, ଅଫିମ ଏବଂ ବ୍ରାଉନ୍‌ସୁଗାର। ବିଶେଷ କରି ୧୫/୧୬ବର୍ଷରୁ ଆରମ୍ଭ କରି ବୟସ୍କ ଯୁବଗୋଷ୍ଠୀ ନିଶା ଫାଶରେ ପଡ଼ୁଥିବା ବେଳେ ଉଜୁଡ଼ି ଯାଉଛି ପରିବାର। ରୋଗ, ଅଭାବନୀୟ କାଣ୍ଡ ପାଇଁ ଅକାଳେ ଜୀବନ ଝଡ଼ି ପଡ଼ୁଛି। ଡ୍ରଗ୍‌ସ ସେବନ କରି ଗାଡ଼ିମଟର ଚଳାଉଥିବା ବେଳେ ରାସ୍ତା ଦୁର୍ଘଟଣାରେ ପ୍ରାଣ ମଧ୍ୟ ହରାଉଛନ୍ତି। ହେଲେ ଦୁର୍ଘଟଣା କହି ଅସଲ କାରଣକୁ ଏଡ଼ାଇ ଦିଆଯାଉଛି। ଛୋଟ ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ହୋଟେଲ୍‌, ଢାବା ଏବଂ ଅସାମାଜିକ ଯୁବକମାନେ ଏହିସବୁ ନିଶା ଦ୍ରବ୍ୟକୁ ଲୁଚାଣିଆ ବିକ୍ରି କରି ଲାଲେ ଲାଲ୍‌ ହେଉଛନ୍ତି। ଏହାର ନିରାକରଣ ପାଇଁ ପୁଲିସ, ଅବକାରୀ, ଡ୍ରଗ୍‌ସ କଣ୍ଟ୍ରୋଲ ବୋର୍ଡ ଆଦି ବିଭିନ୍ନ ବିଭାଗ ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ତତ୍ପରତା ଅଭାବରୁ ଦିନକୁ ଦିନ ଏହି ନିଶା ବେପାର ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ିଚାଲିବା ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୧୮୧୪୭, ତା ୨୯.୮.୨୦୧୬ରେ ନିଶା ନିବାରଣ ପାଇଁ କଡ଼ାକଡ଼ି ଭାବେ ପ୍ରତ୍ୟେକ ଜିଲ୍ଲାକୁ ନିର୍ଦ୍ଦେଶ ଆସିଥିଲା। ବେଆଇନ୍‌ ନିଶା କାରବାର କରୁଥିବା ଲୋକକୁ ଏନ୍‌ଡିପିଏସ୍‌ ଆକ୍ଟରେ ବାନ୍ଧିବା ପାଇଁ ରାଜ୍ୟର ସବୁ ଏସ୍‌ପି ଓ ଅବକାରୀ ଅଧୀକ୍ଷକଙ୍କୁ ଚିଠି କରାଯାଇଥିଲା। କିନ୍ତୁ କିଛି ବି କାର୍ଯ୍ୟକାରୀ ହୋଇ ପାରୁନି। ବରଂ ବେଧଡ଼କ ଚାଲିଛି ବେପାର। ସଞ୍ଜ ନଇଁଲେ ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌, ପାନ, ଚା ଦୋକନ, ହୋଟେଲ୍‌, ରେଷ୍ଟୁରାଣ୍ଟ, ଢାବାରେ ଆସର ଜମୁଛି। ଢାବା, ହୋଟେଲ ମାଲିକ ଓ ଦଲାଲ ଚୋରା ଦେଶୀ ମଦ ତିଆରି ସ୍ଥାନମାନଙ୍କରୁ ଏବଂ ସରକାରୀ ଲାଇସେନ୍‌ସ ପ୍ରାପ୍ତ ମଦ ଦୋକାନରୁ ଅଟୋ, ସ୍କୁଟର, ବାଇକ୍‌ ଆଦିରେ ପାଇକାରୀ ବ୍ୟବସାୟୀ ଭଳି ସେଗୁଡ଼ିକୁ ବୋହିଆଣି ବଜାର ଭିତରେ ପ୍ରବେଶ କରାଉଛନ୍ତି। ଅନୁଗୁଳ, ଆଠମଲ୍ଲିକ, ନୂଆପଡ଼ା, ବୀର ମହାରାଜପୁର ପ୍ରବଳ ମାତ୍ରାରେ ଚୋରା ଗଞ୍ଜେଇ ମଧ୍ୟ ସହରକୁ ଆସିବାରେ ଲାଗିଛି। କିଛି ନିର୍ଦ୍ଦିଷ୍ଟ ନିଶା ମାଫିଆ ପୁଲିସ ଏବଂ ଅବକାରୀ ସଲାସୁତୁରାରେ ଏହି ସବୁ ବ୍ୟବସାୟ ଚଳାଇଥିବା ଅଭିଯୋଗ ହେଉଛି।
ଡ୍ରେନ୍‌ଡ୍ରାଇଟ୍‌, ଫେବି କୁଇକ୍‌ ୫ରୁ ଆରମ୍ଭ କରି ୫୦ଟଙ୍କାରେ ମିଳୁଛି। ଏଥିରେ ଟଲ୍‌ଭିନ୍‌ ନାମକ ନିଶା ରହିଛି। ଯାହା ଦେହରେ ଉନ୍ମଦନା ସୃଷ୍ଟି କରେ। ଏଭଳି ନିଶା ଖାଇଲେ ହୃଦ୍‌ଘାତ, କର୍କଟ ଏବଂ ମସ୍ତିସ୍କ ଅଚଳ ହେବାର ସମ୍ଭାବନା ଅଧିକ। ଡ୍ରଗ୍‌ସ ଏବଂ ଅନ୍ୟ ନିଶା ଦ୍ରବ୍ୟର ମୂଲ୍ୟ ଅଧିକ ରହିଥିବା ବେଳେ ଟଲ୍‌ଭିନ୍‌ ପରି କେମିକାଲ୍‌ ରହୁଥିବା ଅଠା ପରି ଦ୍ରବ୍ୟଗୁଡିକ ଅଧିକାଂଶ ଦୋକାନରେ ସହଜରେ ମିଳିଯାଉଛି ଏବଂ ଏହାର ମୂଲ୍ୟ କମ୍‌ ରହୁଥିବାରୁ ଯୁବଗୋଷ୍ଠୀ ଆକୃଷ୍ଟ ହେଉଛନ୍ତି। ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ଜିଲ୍ଲାରେ ବହୁଳ ଚାଲିଥିବା ବେଳେ ଚରସ, ବ୍ରାଉନ୍‌ସୁଗାର ପରି ଦାମିକା ନିଶାଦ୍ରବ୍ୟ ମଧ୍ୟ ସହରରେ ଲୁଚାଣିଆ ବେପାର ହେଉଛି। ମାଫିଆ ଗୋଷ୍ଠୀ ରୋଜଗାର ଯୋଗାଇ ଦେବା ନାଁରେ ଅର୍ଧଶିକ୍ଷିତ ବେକାର ଯୁବକମାନଙ୍କୁ ଧନ୍ଦାରେ ଲଗାଉଛନ୍ତି।
ସହରର ଗୁଡ଼ିଆନାଳି ଅଞ୍ଚଳର ଜଣେ ୧୭ବର୍ଷର ନାବଳକ ସାଙ୍ଗସାଥୀଙ୍କ ସହ ଡ୍ରେନ୍‌ଡ୍ରାଇଟ୍‌ ପରି ଅଠାରୁ ବାହାରୁଥିବା ନିଶା ସେବନ ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଘର ଛାଡ଼ିବାକୁ ମଧ୍ୟ ପଡ଼ିଥିଲା। ଡେନ୍‌ଡ୍ରାଇଟ୍‌ ତାଙ୍କ ଶରୀରରେ ସଂପୂର୍ଣ୍ଣ ବ୍ୟାପି ଯିବା ଫଳରେ ତାଙ୍କ ଆଖିକୁ ଦେଖାନଯିବା ସହ ଖାଦ୍ୟ ନଳୀ ଶୁଖି ଯାଇଥିଲା। ଡାକ୍ତର ମଧ୍ୟ ଏ ସଂପର୍କରେ କିଛି ଜାଣି ନ ପାରିବା ଯୋଗୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅଧିକାଂଶ ଅଳ୍ପ ବୟସ୍କ ଯୁବକ ଚରସ, ବ୍ରାଉନ୍‌ସୁଗାର ପରି ଦାମୀ ନିଶାସେବନ କରି ଗାଡ଼ି ଚଳାଇବା ଫଳରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଗତ ୧ବର୍ଷ ମଧ୍ୟରେ କଣ୍ଟାନାଳୀ ବାଇପାସଠାରେ ଏପରି ନିଶା ସେବନ କରି ବାଇକ୍‌ ଚଳାଉଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଘଟଣାରେ ଡ୍ରଗ୍‌ସ ସେବନ କରି ଆସୁଥିବା ଯୁବକମାନଙ୍କ କାର୍‌ଟି ସହରର ଏକ ଗଛରେ ମାଡ଼ ହେବା ଫଳରେ ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ସହରରେ ଏମିତି ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ଯାହା ଅନୁଧ୍ୟାନ କଲେ ତା’ ପଛର ମୂଳ କାରଣ ନିଶା ବୋଲି ଜଣାପଡ଼ୁଛି।
ସେହିପରି ଔଷଧ ଦୋକାନରେ ମିଳୁଥିବା କୋଡିନ୍‌ ଯୁକ୍ତ କପ୍‌ସିରଫ ଅବାଧ ବିକ୍ରି ଚାଲିଛି। ନିଶାଖୋର୍‌ ବଢ଼ିବା ଯୋଗୁ ଚୋରି, ଛିନ୍‌ ତରାଇ, ଲୁଟ୍‌ପାଟ, ଡକାୟତି ଘଟଣା ମଧ୍ୟ ସମତାଳରେ ବଢ଼ି ଚାଲିଛି। ଏପରି ବେଆଇନ୍‌ କାର୍ଯ୍ୟକୁ ବିଭାଗୀୟ କର୍ମଚାରୀ ରୋକିବା ପରିବର୍ତ୍ତେ ମାସିକିଆ ବଟି ନେଇ ପ୍ରୋତ୍ସାହନ ଦେଉଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଡ୍ରଗ୍‌ସ ଇନିସ୍‌ପେକ୍ଟର ସୁଜାତା ଆଚାର୍ଯ୍ୟ କହିଛନ୍ତି, ନିଶା ଦ୍ରବ୍ୟ କିମ୍ବା କୋଡିନ୍‌ ଯୁକ୍ତ ସିରଫ ବିକ୍ରି ସଂପର୍କରେ ସେଭଳି କୌଣସି ଅଭିଯୋଗ ଆମ ପାଖକୁ ଆସିନାହିଁ। ନିର୍ଦିଷ୍ଟ ଅଭିଯୋଗ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର