ଜଙ୍ଗଲରେ ହାତୀପଲ ଦଳିଦେଲେ:ବୃଦ୍ଧାଙ୍କ ମୃତ୍ୟୁ, ବର୍ତ୍ତିଗଲେ ୨ ପତ୍ର ତୋଳାଳି

ମଦ୍ୟପ ବନ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ଉତ୍ତେଜନା

ପଣ୍ଡୁଆ/କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ କୋତରାପଲ୍ଲୀ ଜଙ୍ଗଲରେ ଜଣେ ବୃଦ୍ଧାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାରୁଆଁ (କା) ପଞ୍ଚାୟତ ଜବରଦସ୍ତପୁର ଗ୍ରାମର ଜାନକୀ ପ୍ରଧାନ (୬୫)।
ସୂଚନା ଅନୁଯାୟୀ, ସବୁଦିନ ପରି ଆଜି ଜାନକୀ ତାଙ୍କ ଗାଁ’ର ଦୁଇଜଣଙ୍କ ସହିତ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ କୋତରାପଲ୍ଲୀ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ। ଜଙ୍ଗଲରୁ ପତ୍ର ତୋଳିବା ବେଳେ ଜାନକୀ ହାତୀପଲ ସହିତ ମୁହାଁମୁହିଁ ହୋଇ ଯାଇଥିଲେ। ହାତୀପଲ ଜାନକୀଙ୍କୁ ଦଳିଚକଟି ଦେବାରୁ ତାଙ୍କ ମୁଣ୍ଡରୁ ଦହି ବାହାରି ପଡିଥିବା ବେଳେ ଗୋଟିଏ ଗୋଡ ଛିଣ୍ଡି ପଡିଥିଲା। ଜାନକୀଙ୍କ ସହିତ ପତ୍ର ତୋଳିବାକୁ ଯାଇଥିବା ଅନ୍ୟ ଦୁଇ ଜଣ ମହିଳା ଜୀବନ ବିକଳରେ ପଳାଇ ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ଘଟଣାସ୍ଥଳକୁ ଆସିବା ଦେଖି ହାତୀପଲ ସେମାନଙ୍କୁ ମାରିବାକୁ ଗୋଡାଇଥିଲେ। ଖବର ଦେବା ସତ୍ତ୍ୱେ ବନ ବିଭାଗ କର୍ମଚାରୀ ୩ ଘଣ୍ଟା ବିଳମ୍ବରେ ଆସି ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଜଣେ ବନ କର୍ମଚାରୀ ନିଶାଗ୍ରସ୍ତ ଅବସ୍ଥାରେ ଗାଳିଗୁଲଜ କରିବାରୁ ଗ୍ରାମବାସୀ ଜାନକୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ଅମଙ୍ଗ ହୋଇଥିଲେ। ପରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତ ଜାନକୀଙ୍କୁ ବନ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଳେ ଅବଶିଷ୍ଟ ୩ ଲକ୍ଷ ୭୦ ହଜାର ଟଙ୍କା ପରେ ଦିଆଯିବ ବୋଲି ଅଁଳାବେରେଣୀ ଫରେଷ୍ଟର ସସ୍ମିତା ସ୍ୱାଇଁ କହିଛନ୍ତି। ହାତୀପଲଙ୍କ ଉପଦ୍ରବ ଯୋଗୁ ସଂପୃକ୍ତ ଅଞ୍ଚଳରେ ଧନଜୀବନ ନଷ୍ଟ ହେବା ସହିତ ଅନେକ ଲୋକ ମୃତାହତ ହେଲେଣି। ଗତ ବର୍ଷକ ମଧ୍ୟରେ ବାରୁଆଁ(କା) ପଞ୍ଚାୟତର ୪ଜଣ ଲୋକ ହାତୀ ମୁହଁରେ ଜୀବନ ହରାଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ତଥାପି ବନ ବିଭାଗ ଏହାର କିଛି ପ୍ରତିକାର କରୁନାହିଁ କି ହାତୀପଲଙ୍କୁ ଘଉଡାଇବା ଲାଗି ଅଞ୍ଚଳବାସୀଙ୍କୁ ଲାଇଟ୍‌, ବାଣ ଆଦି ଯୋଗାଉନାହିଁ। ବନ ବିଭାଗର ନିଷ୍କ୍ରିୟତା ପ୍ରତିବାଦରେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର