ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରେଞ୍ଜ୍ ବନାଞ୍ଚଳରେ ଜଣେ ବୃଦ୍ଧାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଏଥିରେ ବୃଦ୍ଧାଙ୍କ ସ୍ୱାମୀ ବି ଗୁରୁତର ଆହତ ହୋଇଛନ୍ତି।। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବାବନ୍ଧ ପଞ୍ଚାୟତର ମାଟିଆ ସାହିରେ ଘଟିଛି।
/sambad/media/post_attachments/wp-content/uploads/2020/02/elephant-the-news-minute.jpg)
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବୃଦ୍ଧା ସଜନୀ ପ୍ରଧାନ (୬୭) ଓ ତାଙ୍କ ସ୍ୱାମୀ ଭରତ ପ୍ରଧାନ (୮୦) ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଆକ୍ରମଣ କରିଥିଲା ହାତୀ । ବରଡ଼ାଛପର ଘରେ ସେଦୁହେଁ ଶୋଇଥିବା ବେଳେ ହାତୀଟି କବାଟ ଭାଙ୍ଗି ଘର ଭିତରକୁ ପଶି ନିଜ ଶୁଣ୍ଢରେ ସଜନୀଙ୍କୁ କଚାଡ଼ି ଦେଇଥିଲା। ତାପରେ ଭରତଙ୍କୁ ଆକ୍ରମଣ କରି ଚାଲିଯାଇଥିଲା। ଏହି ଆକ୍ରମଣରେ ଭରତ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସଜନୀଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
ଏହାପରେ ଗୁରୁତର ଭରତଙ୍କୁ କଟକର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।। ଏଣେ ବାବନ୍ଧ ପଞ୍ଚାୟତର ମାଟିଆ ସାହିରେ ବନାଞ୍ଚଳର କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ ଗତ ୩ ତାରିଖରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଚାଉଳିଆ ଗାଁର ବିନତି ଷେଣ୍ଢ ନାମକ ଜଣେ ମହିଳାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।