ପାନୀୟ ଜଳ ପ୍ରକଳ୍ପରେ ଘୋଟାଲା :ଫାଇଲ୍‌ରେ ଏନ୍‌ଏସି ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ!

ଥାନାରେ ଏତଲା

ହିନ୍ଦୋଳ: ହିନ୍ଦୋଳ ଏନ୍ଏସି ଅଧ୍ୟକ୍ଷା ରୀନା ବେହେରାଙ୍କ ଜାଲ ଦସ୍ତଖତରେ ଏନ୍‌ଏସିରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ବେହେରା ଆଜି ସଂଧ୍ୟାରେ ଏ ସଂପର୍କରେ ହିନ୍ଦୋଳ ଥାନାରେ ଏତଲା ଦେଇଛନ୍ତି। ଏତଲାରୁ ପ୍ରକାଶ, ଏନ୍ଏସିରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୩୧ଲକ୍ଷ ୨୮ହଜାର ୯୫୦ଟଙ୍କା ସ୍ବତନ୍ତ୍ର ଅନୁଦାନ ମିଳିଥିଲା। ଏନ୍ଏସି ଅଧ୍ୟକ୍ଷାଙ୍କ ଦସ୍ତଖତ ଥାଇ ପ୍ରକଳ୍ପ ପାଇଁ ଫାଇଲ୍‌ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଫାଇଲ୍‌ରେ ଥିବା ଦସ୍ତଖତ ତାଙ୍କର ନୁହେଁ, ଏହା ଜାଲ୍‌ ଦସ୍ତଖତ ବୋଲି ଏନ୍‌ଏସି ଅଧ୍ୟକ୍ଷା ଶ୍ରୀମତୀ ବେହେରା ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇ ଠିକାଦାର ଟଙ୍କା ଉଠାଇସାରିଥିବା ଜଣାପଡ଼ିଛି। ଏ ସଂପର୍କରେ ଦାୟିତ୍ୱରେ ଥିବା ଏନ୍‌ଏସି ନିର୍ବାହୀ ଅଧିକାରୀ ବିନୟ ରଞନ ମହାପାତ୍ରଙ୍କୁ ପଚାରିବାରୁ ଏନ୍‌ଏସି ଅଧ୍ୟକ୍ଷାଙ୍କ ଦସ୍ତଖତ ଜାଲ୍‌ କି ନୁହେଁ, ଫରେନସିକ୍‌ ଟେଷ୍ଟ କରାଗଲେ ଜଣାପଡ଼ିବ ବୋଲି କହିଛନ୍ତି। ଏନ୍‌ଏସିରେ ବାର୍ଧକ୍ୟ ଭତ୍ତା ପ୍ରଦାନରେ ପୂର୍ବରୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଆଜି ଅଧ୍ୟକ୍ଷାଙ୍କ ଏତଲା ପରେ ଏନ୍‌ଏସିର କାର୍ଯ୍ୟଶୈଳୀ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ରାତି ୮ଟା ସୁଦ୍ଧା ଏ ନେଇ ଥାନାରେ ମାମଲା ରୁଜୁହୋଇନଥିଲା। ତେବେ ମାମଲା ରୁଜୁ କରାଯିବ ବୋଲି ହିନ୍ଦୋଳ ଥାନାଧିକାରୀ ଅନାଦି ପଟ୍ଟାୟତ କହିଛନ୍ତି। ପ୍ରକୃତ ଘଟଣାର ପର୍ଦାଫାସ୍‌ କରାଯିବାକୁ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର