ଢେଙ୍କାନାଳ: ଅଗ୍ନିକାଣ୍ଡରେ ଆଠ ବଖରା ଘର ପୋଡ଼ି ପାଉଁଶ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍‌ ମଙ୍ଗଳପୁର ସଅର ସାହିରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାରେ ତିନୋଟି ପରିବାରର ଆଠ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନଙ୍କ କହିବା ମୁତାବକ, ଆଜି ଦିନ ପ୍ରାୟ ୧୨ଟା ସମୟରେ ସାହିର ଲୋକେ ଖିଆପିଆ ସାରି ବିଶ୍ରାମ ନେଉଥିଲେ। ଏହି ସମୟରେ ହଠାତ୍‌ ପବନା ଦେହୁରୀଙ୍କ ଘରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ମୁରଲୀ ଦେହୁରୀ ଓ ଅମୂଲ୍ୟ ଦେହୁରୀଙ୍କ ଘରକୁ ବି ବ୍ୟାପିଥିଲା। ସୂଚନା ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନୋଟି ଦମକଳ ଗାଡ଼ି ଯୋଗେ ନିଆଁକୁ ଆୟତ୍ତ କରିଛି। ଢେଙ୍କାନାଳ ତହସିଲଦାର ଲକ୍ଷ୍ବୀଧର ରାଉତ ସାହିରେ ପହଞ୍ଚିଛନ୍ତି। ଅଗ୍ନିକାଣ୍ଡ କେମିତି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ବିପନ୍ନ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର