ଓଏନସିଜି ହେଲିକପ୍ଟର ଦୁର୍ଘଟଣା: ମୃତ ସତ୍ୟମ୍ବଦଙ୍କ ଭୁବନରେ ଶେଷକୃତ୍ୟ ସମ୍ପନ୍ନ

କାମାକ୍ଷାନଗର: ଆରବ ସାଗରରେ ଓଏନସିଜି ହେଲିକପ୍ଟର ଦୁର୍ଘଟଣା ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ରହିଥିବା ଜଣାପଡିଛି। ସେ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର। ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ଭୁବନରେ। ତାଙ୍କର ଗତବର୍ଷ ବାହାଘର ହୋଇଥିଲା। ଆଜି ରାତି ଚାରିଟା ସମୟରେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀର ଭୁବନସ୍ଥିତ ବାସଭବନରେ ପହଞ୍ଚିଥିଲା। ତେବେ ସତ୍ୟମ୍ବଦଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନେଇ ଭୁବନ ବୁଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ସତ୍ୟମ୍ବଦଙ୍କୁ ତାଙ୍କ ବଡ଼ଭାଇ ପ୍ରିୟମ୍ବଦ ପାତ୍ରଙ୍କୁ ମୁଖାଗ୍ନି ଦେଇଥିଲେ।

ମାଲକାନଗିରି ସଦର ମହକୁମାସ୍ଥିତ ଏଆରସିଏସ କାର୍ଯ୍ୟାଳୟରେ ସତ୍ୟମ୍ବଦଙ୍କ ବାପା ସୁରେଶ ମହାପାତ୍ର ଷ୍ଟେନୋ ଭାବେ କାମ କରନ୍ତି। ତାଙ୍କ ମା ମାଲକାନଗିରିରେ ଶିକ୍ଷୟିତ୍ରୀ ଅଛନ୍ତି। ସତ୍ୟମ୍ବଦ ନିଜର ହାଇସ୍କୁଲ ପାଠ ମାଲକାନଗିରିରେ ସମାପ୍ତ କରିବା ପରେ ତିର୍ତୋଲ କଲେଜରେ ଜିୟୋଲିଜ୍ ପାଠ ସାରି ରାଉରକେଲା ଏନଆଇଆଇଟିରେ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ଏହାସହ ୟୁପିଏସି ପାଠପଢି ଆଗକୁ ଆଇଏଏସ ହେବାକୁ ପ୍ରସ୍ତୁତି ଚଳାଇଥିଲେ। ୩ ବର୍ଷ ତଳେ ଓଏନଜିସିରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ଗତକାଲି ସକାଳ ୧୧ଟା ସମୟରେ ବମ୍ବେ ଉପକୂଳରୁ ପ୍ରାୟ ୧୧୧ କିମି ଦୂରରେ ଆରବ ସାଗରରେ ହେଲିକପ୍ଟରଟି ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ତୈଳ ଓ ପ୍ରାକୃତିକ ବାଷ୍ପ ଆୟୋଗ (ଓଏନ୍‌ଜିସି)ର ଏକ ହେଲିକପ୍ଟର ମଙ୍ଗଳବାର ସକାଳେ ବମ୍ବେ ଉପକୂଳରୁ ୬୦ ନଟିକାଲ ମାଇଲ (ପ୍ରାୟ ୧୧୧ କିମି) ଦୂରରେ ଆରବ ସାଗରରେ ଖସିପଡ଼ିବା ଯୋଗୁ ଏଥିରେ ଥିବା ୯ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଓଏନ୍‌ଜିସିର ପବନହଂସ ହେଲିକପ୍ଟରରେ ୨ ଜଣ ବିମାନ କର୍ମଚାରୀ ଓ ୭ ଜଣ ଓଏନ୍‌ଜିସି କର୍ମଚାରୀ ଥିଲେ। ରେସ୍କ୍ୟୁ ଅପରେସନରେ ୩ ଜଣ ଓଏନ୍‌ଜିସି କର୍ମଚାରୀ ଏବଂ ୨ ଜଣ ବିମାନ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିଥିଲା ଏବଂ ଓଏନ୍‌ଜିସିର ୪ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର