ଟଙ୍କା ପାଇଁ ସାଙ୍ଘାତିକ କାଣ୍ଡ:ଅସୁଲ୍‌ ନ ହେବାରୁ ଜାଳିଦେଲେ ଘର

ଚାପା ଉତ୍ତେଜନା, ଗାଁରେ ପୁଲିସ ଫୋର୍ସ

ଢେଙ୍କାନାଳ: ଟଙ୍କା ପାଇଁ ଢେଙ୍କାନାଳ ସଦର ବ୍ଲକ ବାଙ୍କୁଆଳ ଗାଁରେ  ରଚାଯାଇଛି ଅଗ୍ନିକାଣ୍ଡ। ଟଙ୍କା ପାଇଁ କେବଳ ଘର ପୋଡ଼ା ଯାଇନାହିଁ, ବରଂ ଖିଲାପିଙ୍କୁ ଗାଁ କୋଠଘରେ ବାନ୍ଧିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗାଁରେ ପ୍ରବଳ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲା ପୁଲିସ ପ୍ରଶାସନ ଏକ ପ୍ଲାଟୁନ ପୁଲିସ ଫୋର୍ସ ଗାଁରେ ମୁତୟନ କରିବା ସହିତ ଏନେଇ ୧୦୪/୧୯ରେ ଢେଙ୍କାନାଳ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ମଳୟ ନାଏକ ସମ୍ବାଦକୁ କହିଛନ୍ତି। ତାଙ୍କ କହିବା ମୁତାବକ, ବିଭିନ୍ନ ପର୍ବପର୍ବା‌ଣୀ ପାଇଁ ଗାଁ ଲୋକେ ଟଙ୍କା ପଇସା ସବୁ ଠୁଳ କରିଥିଲେ। କାହାର ଦରକାର ହେଲେ ସେଥିରୁ ଟଙ୍କା ଉଧାର ନେବାକୁ ଗାଁରେ ନିୟମ କରାଯାଇଥିଲା। ଠିକଣା ସମୟରେ ପରିଶୋଧ ପାଇଁ ମଧ୍ୟ ସମସ୍ତଙ୍କୁ କୁହାଯାଇଥିଲା। ତଦନୁସାରେ, ଗାଁର ସଞ୍ଜୟ ସ୍ବାଇଁ ଏବଂ ଯୁଗଳ ସ୍ବାଇଁ ଝିଅ ବାହାଘର ପାଇଁ ୨୦ହଜାର ଟଙ୍କା ନେଇଥିଲେ। ପରିଶୋଧ କରିବା ପରିବର୍ତ୍ତେ ଦିନ ଗଡ଼ାଇ ଚାଲିଥିଲେ। ଗାଁକୁ ଠକୁଥି‌ଲେ। ଟଙ୍କା ମାଗିଲେ ଗାଁ ସଭାପତି ଏବଂ ସମ୍ପାଦକଙ୍କୁ ଗାଳିଗୁଲଜ କରୁଥିଲେ। ଯେଉଁଥି ପାଇଁ ଗାଁରେ ବଡ଼ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଟଙ୍କା ଅସୁଲିକୁ କେନ୍ଦ୍ର କରି  ଗାଁ ସଭାପତି ଓ ସମ୍ପାଦକ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଭେଟିବାକୁ ଆସିଥିଲେ। ତଥାପି କୌଣସି ଲାଭ ମିଳି ନ ଥିଲା। ଏଭଳି ପରିସ୍ଥିତିରେ  ଏହା ଉପରେ ଆଲୋଚନା ହୋଇଥିଲା। ଉଭୟ ସଞ୍ଜୟ ଏବଂ ଯୁଗଳଙ୍କର ତିନି ବଖରା ଘରେ ନିଆଁ ଲଗାଇ ଦିଆଯିବା ସହିତ ଉଭୟଙ୍କୁ କୋଠଘରେ ବାନ୍ଧି ନିର୍ଘାତ୍‌ ମାଡ଼ ମରାଯାଇଥିବା ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଗାଁର କିଏ କିଏ ଏ ସବୁ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପରିସ୍ଥିତି ଅଶାନ୍ତ ପଡ଼ିଥିବା ବେଳେ ସେଠାରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ନାଏକ କହିଛନ୍ତି। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଶ୍ରୀ ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର