କାମାକ୍ଷାନଗର: କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗ୍ରାମର ବ୍ରହ୍ମାନନ୍ଦ ମଲିକ(୩୨) ନାମକ ଜଣେ ବ୍ୟକ୍ତି ବନ କର୍ମଚାରୀଙ୍କ ମାଡ଼ରେ ଆହତ ହୋଇ ମୃତ୍ୟୁବରଣ କରିଥିବା ନେଇ ତାଙ୍କର ସ୍ତ୍ରୀ ସୁଭଦ୍ରା ନାଏକ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତମାସ ୯ ତାରିଖରେ ବ୍ରହ୍ମାନନ୍ଦ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଜାଳ କାଠ ଯୋଗାଡ଼ କରିବା ପାଇଁ ଯାଇଥିଲେ। ବ୍ରହ୍ମାନନ୍ଦ ଜଙ୍ଗଲରୁ ଜାଳକାଠ ସଂଗ୍ରହ କରିବା ବେଳେ ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବିଟ ହାଉସର ଦୁଇଜଣ ବନ କର୍ମଚାରୀ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସେ ଜଙ୍ଗଲରୁ ଆସି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ଏହି ଘଟଣା ସ୍ତ୍ରୀଙ୍କୁ କହିଥିବା ବେଳେ ଭୟ ଓ ଆଶଂକାରେ ସେ ଏହି ଘଟଣା ଅନ୍ୟ କାହାକୁ କହିନଥିଲେ। କିଛିଦିନ ପରେ ସ୍ବାମୀଙ୍କ ସ୍ବାସ୍ଥ୍ୟ‌ାବସ୍ଥା ଗୁରୁତର ହେବାରୁ ଗତମାସ ୨୮ ତାରିଖରେ ତାଙ୍କର ଚିକିତ୍ସା ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ହେବା ଅବସ୍ଥାରେ ଗତ ୩୦ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ପରିବାର ଓ ସମ୍ପର୍କୀୟକୁ ଘଟଣା କହିବାରୁ ସେମାନଙ୍କ ପରାମର୍ଶ କ୍ରମେ ସେ ଥାନାରେ ଅଭିଯୋଗ କରିଛନ୍ତି ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ କାମାକ୍ଷାନଗର ଥାନା ଅଧିକାରୀ ସୁନିଲ କୁମାର କରଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ମିଳିଛି। ମାମଲା ରୁଜୁ ହେବ। ଏଥିଲାଗି ଏସଆଇ ସୁଜ୍ଞାନ କୁମାର ବାରିକଙ୍କୁ ଦାୟିତ୍ବ ଦିଆଯାଇଛି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଏ ସଂପର୍କରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ ବିବୁଧାନନ୍ଦ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ଏହି ଘଟଣାର ସତ୍ୟତା ନାହିଁ ।