ଚରିତ୍ର ସଂଦେହରେ ପତ୍ନୀ ହତ୍ୟା ମାମଲା :ସ୍ବାମୀକୁ ୭ ବର୍ଷ ଜେଲ୍‌

ଢେଙ୍କାନାଳ: ହିନ୍ଦୋଳ ବ୍ଲକ୍ ନୂଆକୋଟ ଗାଁର ଜଣେ ମହିଳାଙ୍କୁ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଜିଲ୍ଲା ଦୌରାଜଜ୍‌ ତାରାପ୍ରସାଦ ରଥ ଏହାର ବିଚାର କରି ଅଭିଯୁକ୍ତ ସ୍ବାମୀ ଅଜୟ ନାଏକ(୪୪)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଅଜୟକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଭୋଗିବାକୁ ନି‌ର୍ଦେଶ ଦେଇଛନ୍ତି। ବିବରଣୀ ଅନୁଯାୟୀ, ଅଜୟ ଭୁବନେଶ୍ବରରେ ରହି କାମ କରୁଥିଲା। ଘରକୁ ଫେରିଲେ ପତ୍ନୀ ଦମୟନ୍ତୀ(୩୪)ଙ୍କ ଚରିତ୍ରକୁ ସନ୍ଦେହ କରି ନିସ୍ତୁକ ମାଡ଼ପିଟ କରୁଥିଲା। ଏହା କ୍ରମଶଃ ଅସହ୍ୟ ହେବାରୁ ଦମୟନ୍ତୀ ତାଙ୍କର ୩ଟି ସନ୍ତାନ ଧରି ତଳମୂଳ ଗାଁରେ ଥିବା ନିଜ ବାପଘରକୁ ପଳାଇଥିଲେ। ତେବେ ପରେ ଅଜୟ ଶ୍ବଶୁର ଘରକୁ ଯାଇ ପତ୍ନୀ ଓ ପିଲାମାନଙ୍କୁ ସାଙ୍ଗରେ ନିଜ ଘରକୁ ଫେରାଇ ଆଣିଥିଲା। ୨୦୧୭ ମାର୍ଚ୍ଚ ୫ ତାରିଖ ରାତିରେ ଅଜୟ ଦମୟନ୍ତୀଙ୍କୁ ପିଟି ହାତ ଭାଙ୍ଗିଦେଇଥିଲା।

ପରଦିନ ରାତିରେ ଅଜୟ ପୁନର୍ବାର ଏକ ପିଠାପାତିଆରେ ଦମୟନ୍ତୀଙ୍କୁ ନିସ୍ତୁକ ପ୍ରହାର କରିଥିଲା। ଏଥିରେ ଘଟଣା ସ୍ଥଳରେ ହିଁ ଦମୟନ୍ତୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପିଲାମାନେ ସମସ୍ତ ଘଟଣା ଦେଖିଥିଲେ ମଧ୍ୟ ବାପା ଭୟରେ କହାକୁ ଜଣାଇନଥିଲେ। ପରଦିନ ଦମୟନ୍ତୀଙ୍କ ଭାଇ ତଅଁଳୁ ନାଏକ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଥାନାରେ କେସ୍‌ ନମ୍ବର୧୫/୨୦୧୭, ଦଫା ୩୦୨ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀ ଅଜୟକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲ୍ଲା ଦୌରାଜଜ୍‌ ଶ୍ରୀ ରଥ ଏହି ମାମଲା (ସିଟି ସେସନ୍‌ କେସ୍‌ ନମ୍ବର ୫୨/୨୦୧୭)ର ବିଚାର କରି ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ଉପରୋକ୍ତ କାରାଦଣ୍ତ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ଗଣେଶ୍ବର ବେହେରା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର