କାମାକ୍ଷାନଗର: ଢେଙ୍କାନାଳଜିଲ୍ଲା କାମାକ୍ଷାନଗରରେ ସାରର ବ୍ୟାପକ କଳାବଜାର ଦେଖିବାକୁ ମିଳିଛି। ବର୍ତ୍ତମାନ ଚାଷ କାମ ଜୋରରେ ଚାଲିଥିବା ବେଳେ ତାହାର ସୁଯୋଗ ନେଇ ସାର ବ୍ୟବସାୟୀମାନେ ବିଭିନ୍ନ କିସମର ସାରକୁ ନିର୍ଦ୍ଧାରିତ ମୂଲ୍ୟର ଦୁଇଗୁଣ ନେଉଥିବା ଦେଖିବାକୁ ମିଳୁଛି। ୟୁରିଆ ସାରର ସ୍ଥାନ ବିଶେଷରେ ସର୍ବୋଚ୍ଚ ସରକାରୀ ମୂଲ୍ୟ ୨୮୦ରୁ ୩୦୦ ମଧ୍ୟରେ ଥିବା ବେଳେ ଚାଷୀଙ୍କୁ ୫୦୦ରୁ ୫୨୦ ମୂଲ୍ୟରେ ବିକ୍ରି କରାଯାଉଛି। ସେହିପରି ଡିଏପିର ସରକାରୀ ମୂଲ୍ୟ ୧୨୫୦ରୁୁ ୧୨୮୦ ମଧ୍ୟରେ ଥିବା ବେଳେ ଚାଷୀଙ୍କଠାରୁ ୧୪୦୦ରୁ ୧୫୦୦ ମୂଲ୍ୟରେ ବିକ୍ରି କରାଯାଉଛି।
ଘଟଣା ସମ୍ପର୍କରେ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଓ ଚାଷୀମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ କାମାକ୍ଷାନଗର ସହରର ଏକ ସାର ଓ କୀଟନାସକ ଦୋକାନରେ ଚଢାଉ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଶୁଭଙ୍କର ମହାନ୍ତି, ସହକାରୀ କୃଷି ଅଧିକାରୀ ସୁମନ କୁମାର ରାଉତ ଚଢାଉ କରିଥିଲେ। ଦୁଇ ଅଧିକାରୀଙ୍କ ସମ୍ମୁଖରେ ସଂପୃକ୍ତ ବ୍ୟବସାୟୀ ବିନା ରସିଦରେ ଦୁଇ ଚାଷୀଙ୍କୁ ୟୁରିଆ ବ୍ୟାଗ ପିଛା ୫୦୦ ଟଙ୍କା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା।
ଏପରିକି ବ୍ୟବସାୟୀଙ୍କୁ ଏନସି ପକ୍ଷରୁୁ କୌଣସି ବ୍ୟବସାୟ ପ୍ରମାଣପତ୍ର (TRADE LICENCE ) ମିଳିନଥିବା ବେଳେ ବ୍ୟାପକ ସାର ମହଜୁଦ ରଖି ବିକ୍ରି କରୁଥିଲେ । ୟୁରିଆ ସାର ୪୯.୫ କିଗ୍ରାର କାଗଜପତ୍ର ଥିବା ବେଳେ ପ୍ରାୟ ୨୫ ଟନ ୫୭୨ ବସ୍ତା , ଡିଏପି ୭୫ ସ୍ଥାନରେ ପ୍ରାୟ ୧୦ ଟନ,ଏମଓପି( ପୋଟାସ)୨କ୍ବିଣ୍ଟାଲ ୫୦ କିଗ୍ରା ସ୍ଥାନରେ ୧୧କ୍ବିଣ୍ଟାଲ ମହଜୁତ୍ ଥିବା ଦେଖିବାକୁ ମିଳିଥିଲା। ତଦନ୍ତକାରି ଅଧିକାରୀଙ୍କୁ ସଂପୃକ୍ତ ବ୍ୟବସାୟୀ ସାରର ମହଜୁଦ ଓ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲେ। ଏ ସଂମ୍ପର୍କରେ କାମାକ୍ଷାନଗର ଉପ ଜିଲ୍ଲାପାଳ ଦିନମଣି ନାଏକ କୁହନ୍ତି କି ଖବର ପାଇ ଚଢାଉ କରାଯାଉଛି,କିଛି ବ୍ୟବସାୟୀ ମଧ୍ୟ ଦୋକାନ ବନ୍ଦ କରିଥିବାର ଦେଖିବାକୁ ମଳିଛି। ଚଢାଉ ପରେ ତଦନ୍ତ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ବିକ୍ରି ହେବା ସହିତ ଅଧିକ ସାର ମହଜୁଦ ରଖିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।