କାମାକ୍ଷାନଗର ନିର୍ବାଚନମଣ୍ଡଳୀ : ପ୍ରଫୁଲ୍ଲଙ୍କୁ ଟକ୍କର ଦେବ କିଏ?

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲାର ଅଣସଂରକ୍ଷିତ କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂ‌େଗ୍ରସ‌େର ଟିକେଟ ଆଶାୟୀଙ୍କ ଲମ୍ବା ଲାଇନ୍ ଲାଗିଛି। ଅଞ୍ଚଳର ବିକାଶ ପ୍ରତି ସରକାରଙ୍କ ଅବହେଳା ବିରୋଧୀ ଦଳର ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଶାସକ ଦଳ କିନ୍ତୁ ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନା ଆଧାରରେ ନିର୍ବାଚନ ବୈତରଣୀ ପାର ହେବା ଲାଗି ଲକ୍ଷ୍ୟ ରଖିଛି। ବିଶେଷ କରି ୩ ଥର ଲଗାତର ବିଜୟୀ ହେବା ସହ ରାଜ୍ୟ ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ନେତୃତ୍ବରେ ବିଜେଡି ପୁନର୍ବାର ସଫଳତା ଦୋହରାଇବାର ଆଶା ରଖିଛି।

କାମାକ୍ଷାନଗର ବ୍ଲକ୍‌ର ୧୬ଟି ପଞ୍ଚାୟତ, ଭୁବନର ୧୮, ଢେଙ୍କାନାଳ ସଦର ବ୍ଲକ୍‌ର ୯ଟି ପଞ୍ଚାୟତ ସହିତ କାମାକ୍ଷାନଗର ଓ ଭୁବନ ଏନ୍‌ଏସିକୁ ନେଇ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଗଠିତ। ଭୋଟର ସଂଖ୍ୟା ମୋଟ ୨ ଲକ୍ଷ ୭ହଜାର ୮ଶହ। ସେଥିରୁ ପୁରୁଷ ୧ଲକ୍ଷ ୯ହଜାର ୩୦୨, ମହିଳା ୯୮ହଜାର ୪୭୧ ଥିବାବେଳେ ତୃତୀୟ ଲିଙ୍ଗ ୯ ଜଣ। ୨୦୧୪ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ୬୪୧୬୩ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭବାନୀଶଙ୍କର ମହାପାତ୍ର ୪୭୨୮୨ଟି ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଓ ବିଜେପିର ପ୍ରସନ୍ନ ପଟ୍ଟନାୟକ ୨୫୯୨୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଏବେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ। ୨୦୦୪ରୁ ସେ ରାଜନୀତ‌ିରେ ପାଦ ଥାପିଛନ୍ତି। ସ୍ବାଧୀନତା ସଂଗ୍ରାମୀ ମୂଷା ମଲ୍ଲିକଙ୍କ ଦାୟାଦ ପ୍ରଫୁଲ୍ଲ ପେସାରେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ଶ୍ରମିକ ରାଜନୀତି ସହ ସଂପୃକ୍ତ ଥିଲେ। ବିଜେଡି ଟିକେଟରେ ୨୦୦୪, ୨୦୦୯ ଓ ୨୦୧୪ରେ ସେ ଲଗାତର ବିଜୟୀ ହୋଇଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀ ତଥା ତୃତୀୟ ମହଲାର ଅତ୍ୟନ୍ତ ବିଶ୍ବସ୍ତ ଥିବାରୁ ଏଥର ଟିକେଟ ମିଳିବା ନେଇ ସେ ଏକପ୍ରକାର ନିଶ୍ଚିତ ଅଛନ୍ତି। ଏହାସତ୍ତ୍ବେ ଦଳରେ ଆଶାୟୀଙ୍କ ସଂଖ୍ୟା କିନ୍ତୁ କମ୍‌ ନାହିଁ। ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଗିରିଜାପ୍ରସାଦ ମହାନ୍ତି କହିଛନ୍ତି, ଯୁବଗୋଷ୍ଠୀଙ୍କୁ ଏଥର ପ୍ରାଧାନ୍ୟ ଦିଆଯିବ, ତେଣୁ ତାଙ୍କୁ ଟି‌େକଟ ମିଳିବ ବୋଲି ସେ ଆଶାବାଦୀ। ସେହିପରି ବିଜେଡିରୁ କାମାକ୍ଷାନଗର ଓକିଲ ସଂଘ ସଭାପତି ରଞ୍ଜନ ରାଉତ, ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସତ୍ୟଜିତ ମିଶ୍ର, ଯୁବନେତା ତପନ ଦାସଙ୍କ ନାଁ ମଧ୍ୟ ଚର୍ଚାରେ ରହିଛି। ତପନଙ୍କ ଭାଇ ରଞ୍ଜନ ଦାସ ଯାଜପୁର ଜିଲ୍ଲାପାଳ। ତେଣୁ ତପନ ଟିକେଟ ପାଇଁ ଅନ୍ୟତମ ଆଶାୟୀ ଥିବା ଆଲୋଚନା ହେଉଛି। ବିଜେଡି ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଉଥିବାରୁ ଦଳର ବରିଷ୍ଠ ନେତ୍ରୀ ଶାନ୍ତାବାଳା ଜୀ, ଭୁବନର ସାଗରିକା ମିଶ୍ର, କାମାକ୍ଷାନଗର ଏନ୍‌ଏସିର ପୂର୍ବତନ ନଗରପାଳ ସୌଭାଗିନୀ ରାଉଳ ପ୍ରମୁଖ ମଧ୍ୟ ଟିକେଟ ଆଶାରେ ଲବି ଚଳାଇଥିବା ଜଣାପଡ଼ିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପ୍ରଫୁଲ୍ଲ କୁମାର ମଲ୍ଲିକ      ୬୪,୧୬୩
କଂଗ୍ରେସ   ଭବାନୀଶଙ୍କର ମହାପାତ୍ର  ୪୭,୨୮୨
ବିଜେପି    ପ୍ରସନ୍ନ ପଟ୍ଟନାୟକ         ୨୫,୯୨୭

୨୦୧୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ପୁଅ। ବାପାଙ୍କ ଅମଳରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଓ ଦଳୀୟ ସଂଗଠନ ଭରସାରେ ଭବାନୀଶଙ୍କର ଏଥର ମଧ୍ୟ ଟିକେଟ ପାଇଁ ଆଶାବାଦୀ। ସେହିଭଳି ଶିକ୍ଷକ ଓ କୃଷକ ନେତା ତଥା ରାଜ୍ୟ ସଂକୀର୍ତନ ମଣ୍ଡଳୀ ସଭାପତି ବିପ୍ରବର ସାହୁ ମଧ୍ୟ କଂଗ୍ରେସ ଟିକେଟ ଆଶାୟୀଙ୍କ ତାଲିକାରେ ରହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ ଦଳୀୟ ନେତା ଶାନ୍ତନୁ ସାହୁ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବାରୁ ସେ ମଧ୍ୟ ଏଥର ଟିକେଟ ଦୌଡ଼ରେ ଅଛନ୍ତି। ସେହିପରି କାମାକ୍ଷାନଗରର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ମହାରଣା, ଯୁବନେତା ପ୍ରଭୁଦତ୍ତ ଭଟ୍ଟ ମଧ୍ୟ ଟିକେଟ ଆଶାୟୀ ଥିବା କୁହାଯାଉଛି।

ରାଜ୍ୟର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଏବେ ଦଳୀୟ ସଂଗଠନ ଆଧାରରେ ସେ ଟିକେଟ ପାଇଁ ଦାବି କରୁଛନ୍ତି। ଏଣେ ତାଙ୍କୁ ମାତ୍‌ ଦେଇ ବିଜେପି ଟି‌େକଟ ହାତେଇବାକୁ ବରିଷ୍ଠ ନେତା ଶତ୍ରୁଘ୍ନ ଜେନା ମଧ୍ୟ ଜୋରସୋର ଲାଗିପଡ଼ିଥିବା କୁହାଯାଉଛି। ଶତ୍ରୁଘ୍ନ ଭୁବନ ପଞ୍ଚାୟତ ସମିତିର ତିନି ଥର ଅଧ୍ୟକ୍ଷ ଥିଲେ। ଜନସଂପର୍କ ତଥା ଲୋକପ୍ରିୟତା ଭରସାରେ ସେ ଟିକେଟ ପାଇଁ ଆଶାୟୀ ଥିବା ଚର୍ଚା ହେଉଛି। ଏଥିସହିତ ଟିକେଟ ଦୌଡ଼ରେ ଯୁବନେତା ମାତୃପ୍ରସାଦ ନନ୍ଦ, ଦେବାଶିଷ ହୋତା, ଦେବଦତ୍ତ ପଟ୍ଟନାୟକ, ପବିତ୍ର ବିଶ୍ବାଳ, ରତ୍ନପ୍ରଭା ପଣ୍ଡା, ପ୍ରେମାନନ୍ଦ ଜେନାଙ୍କ ନାମ ରହିଥିବା ଜଣାପଡ଼ିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଦେଇ ରେଙ୍ଗାଳି କେନାଲ ଯାଇଥିଲେ ବି ଜମିକୁ ସବୁବେଳେ ପାଣି ମିଳୁନି, ଭୁବନ ବ୍ଲକ୍‌ରେ ରାସ୍ତାଘାଟ ସମସ୍ୟା ଏବେ ବି ଉତ୍କଟ, ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏହି ସବୁ ସମସ୍ୟା ନେଇ ବିରୋଧୀ ଶାସକ ଦଳର ଭୋଟ ଛଡ଼ାଇବାକୁ ଆଶା ବାନ୍ଧିଥିବା ବେଳେ ଏଭଳି ସମାଲୋଚନାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିବ ନାହିଁ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର