ନିର୍ବାଚନରୁ ଦୂରେଇ ରହିବାକୁ ୫୦ହଜାର କରିଥିଲେ ଡିଲ୍
ଭୟରେ ଆଠଗଡ଼ରେ ଛାଡ଼ି ପଳାଇଲେ ଦୁର୍ବୃତ୍ତ
ମେରାମଣ୍ଡଳୀ : ଦୁଇ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ନୂଆଗାଁ ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଗୁରୁବାର ସକାଳେ ଉଦ୍ଧାର ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଭାପୁର ନିକଟସ୍ଥ ବେଗୁନିଆପାଳ ଛକ ନିକଟରୁ ପୁଲିସ ତାଙ୍କୁ ଉଦ୍ଧାର କରିଛି। ତେବେ ତାଙ୍କୁ କିଏ ଓ କାହିଁକି ଅପହରଣ କରିଥିଲେ ତାହାକୁ ନେଇ ଜେରା ଚାଲିଛି। ଏହା ନିଖୋଜ ନୁହେଁ, ଅପହରଣ ଥିଲା। ରାଜନୈତିକ ଶତ୍ରୁତା କାରଣରୁ ତାଙ୍କୁ ତିନି ଜଣ ଯୁବକ ଉଠାଇ ନେଇଥିଲେ। ବିଭିନ୍ନ ଚାପରେ ତାଙ୍କୁ ଆଠଗଡ଼ ଇଲାକାରେ ଛାଡ଼ି ଦେଇଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ହିନ୍ଦୋଳ ବ୍ଲକ୍ ନୂଆଗାଁ ପଞ୍ଚାୟତର ସମିତି ସଭ୍ୟ ପଦବି ପାଇଁ ନୂଆଗାଁର ସୁବ୍ରତ ବେହେରା(୨୩) ଓରଫ୍ ଟିକନ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ୨୩ବର୍ଷ ବୟସ୍କ ସୁବ୍ରତଙ୍କ ସହ ଥିଲେ ଅନ୍ୟ ପ୍ରତିଦ୍ବନ୍ଦ୍ବୀ। ସେ ଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ। ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର ନିମବାହାଳି ବଜାରକୁ ସେ ପୁସିଂ କାର୍ଡ ଛପାଇବାକୁ ଯାଇଥିଲେ। କିନ୍ତୁ, ତା ପରଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ, କୌଣସି ଜାଗାରୁ ତାଙ୍କର ପତ୍ତା ମିଳିଲା ନାହିଁ। ତେଣୁ ସୁବ୍ରତଙ୍କ ବାପା ଟିବୁ କଣ୍ଟାବଣିଆ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଅର ନିଖୋଜ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ଘଟଣା ପଦାକୁ ଆସିଲା ପରେ ପଞ୍ଚାୟତରେ ଚହଳ ଖେଳିଯାଇଛି। ଭୋଟ୍ ସମୟରେ ଏ ପ୍ରକାର ଘଟଣାକୁ ବେଶ୍ ଗୁରୁତର ସହିତ ନେଇଥିଲା ପୁଲିସ। ତନାଘନା ଆରମ୍ଭ କରିଥିଲା। ମୋବାଇଲ୍ କଲ୍ ରେକର୍ଡ ଟ୍ରାକ୍ କରି ପୁଲିସ ପହଞ୍ଚିଥିଲା ଚିନ୍ତାପୋଖରୀ ନିକଟରେ। ସେଠାରୁ ସୁବ୍ରତଙ୍କ ଜୋତା ଏବଂ ମଟରସାଇକଲ୍ ପାଇଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେଣୁ, ପୁଲିସର ଚିନ୍ତା ବଢ଼ିଥିଲା।
ଗୁରୁବାର ସକାଳେ ସୁବ୍ରତଙ୍କ ବାପା କଣ୍ଟାବଣିଆ ଥାନାରେ ଥିବା ବେଳେ ତାଙ୍କ ନିକଟକୁ ଏକ ନମ୍ବରରୁ ଫୋନ୍ ଆସିଥିଲା। ଭାପୁର ବେଗୁନିଆପାଳ ଛକରେ ସେ ଅଛନ୍ତି ବୋଲି ସୁବ୍ରତ ତାଙ୍କ ବାପାଙ୍କୁ ଫୋନ୍ରେ କହିଥିଲେ। ପୁଲିସ ତତ୍କ୍ଷଣାତ୍ ଯାଇ ବେଗୁନିଆପାଳରୁ ସୁବ୍ରତଙ୍କୁ ଉଦ୍ଧାର କରିଛି। ତାଙ୍କୁ କିଏ ଓ କାହିଁକି ଅପହରଣ କଲେ ତାହାକୁ ନେଇ ପୁଲିସ ଜେରା ଚଳାଇଛି। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି, ସୁବ୍ରତଙ୍କୁ ତିନି ଜଣ ବ୍ୟକ୍ତି ଏକ ଧଳା ରଙ୍ଗର କାର୍ରେ ଉଠାଇ ନେଇଥିଲେ। ଜଣେ ଗାଡ଼ି ଚାଳକ ଥିବା ବେଳେ ଅନ୍ୟ ଦୁଇ ଜଣ ଅପହର୍ତ୍ତା ଥିଲେ। ଅପହରଣର କାରଣ ନିର୍ବାଚନ ଥିଲା। ନିର୍ବାଚନ ହେବା ପର୍ଯ୍ୟନ୍ତ ମଇଦାନରୁ ଦୂରେଇ ରହିବା ପାଇଁ ସୁବ୍ରତଙ୍କୁ ବାଧ୍ୟ କରାଯାଇଥିଲା। ଏଥିପାଇଁ ତାଙ୍କୁ ୫୦ହଜାର ଟଙ୍କା ମଧ୍ୟ ଯଚା ଯାଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ରାତି ସାରା ଦୁର୍ବୃତ୍ତମାନେ ତାଙ୍କୁ ଚାରିଆଡ଼େ ବୁଲାଇଥିଲେ। ଆଜି ସକାଳୁ ସକାଳୁ ଏ ସମ୍ପର୍କରେ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଦୁର୍ବୃତ୍ତମାନେ ତାଙ୍କୁ ଆଠଗଡ଼ରେ ଛାଡ଼ି ପଳାଇଥିଲେ। ଆଠଗଡ଼ରୁ ଏକ ଗାଡ଼ିରେ ସୁବ୍ରତ ଆସି ଭାପୁରରେ ପହଞ୍ଚିଥିଲେ। ସେଠାରୁ ବାପାଙ୍କୁ ଫୋନ୍ କରିଥିଲେ ବୋଲି ଜଣାପଡ଼ିଛି।