୩୦ ଫୁଟ୍‌ ଉଚ୍ଚରୁ ପଡ଼ି ଶ୍ରମିକ ମୃତ:କ୍ଷତିପୂରଣ ଦାବିରେ ଧାରଣା

କଣ୍ଟାବଣିଆ: କଣ୍ଟାବଣିଆ ଥାନା ଭୂଷଣ ଷ୍ଟିଲ୍‌ ପ୍ଲାଣ୍ଟରେ ଆଜି ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ପ୍ରାଣହାନି ଘଟିଛି। କ୍ଷତିପୂରଣ ଦାବିରେ ପରିବାର ସଦସ୍ୟ ଶବ ରଖି ଧାରଣା ଦେଇଥିଲେ। ପ୍ଲାଣ୍ଟ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିନ ୧୦ଟାବେଳେ ପ୍ଲାଣ୍ଟ ୨ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରେ ୩୦ ଫୁଟ ଉଚ୍ଚରୁ ଶ୍ରମିକ ପ୍ରକାଶ କୁମାର ପରମାଣିକ (୩୪) ଖସିପଡ଼ିଥିଲେ। କମ୍ପାନି ପକ୍ଷରୁ ତାଙ୍କୁ ଅନୁୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଘର ବଅଁରପାଳ ଥାନା ଅପର୍ତ୍ତିପୁର ଗାଁରେ । କ୍ଷତିପୂରଣ ଦାବିରେ ପରିବାର ସଦସ୍ୟ ପ୍ଲାଣ୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ତାଙ୍କ ଅନ୍ତ୍ୟେଷ୍ଟି ପାଇଁ କମ୍ପାନି ପକ୍ଷରୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏକ ସପ୍ତାହ ମଧ୍ୟରେ ଢେଙ୍କାନାଳ ଉପଶ୍ରମ କମିସନରଙ୍କ ନିକଟରେ କ୍ଷତିପୂରଣ ବାବଦ ୧୨ ଲକ୍ଷ ଟଙ୍କାର ଚେକ୍‌ ଦାଖଲ କରାଯିବ ଓ ତାଙ୍କ ଉତ୍ତରାଧିକାରୀଙ୍କୁ କମ୍ପାନିରେ ନିଯୁକ୍ତି ଦିଆଯିବ ବୋଲି ପ୍ଲାଣ୍ଟ ମହାପ୍ରବନ୍ଧକ ଏମ୍‌. ପି. ସିଂ, ଜି. ବି. ଧନଂଜୟ କୁମାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ାପଡ଼ା ତହସିଲଦାର ନିରଂଜନ ବେହେରା, କଣ୍ଟାବଣିଆ ଥାନାଧିକାରୀ ପ୍ରଦୀପ ପ୍ରଧାନ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତା ପବିତ୍ର ବିଶ୍ୱାଳ, ଦିଲୀପ ରାଉତ, ମୀନକେତନ ଅମାନ୍ତ, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତିି ବିପ୍ଲବ ଜେନା, ବଅଁରପାଳ ସରପଞ୍ଚ ଫକିର ନାଏକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର