ହିନ୍ଦୋଳ: ଲାଲ ବୁଲେଟରେ ଦୁର୍ବୃତ୍ତମାନେ ଆସି ବିଭିନ୍ନ ମାରଣାସ୍ତ୍ର ଦେଖାଇ ସାଧାରଣ ଲୋକଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ପରି ଘଟଣା  ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଏନ୍.ଏ.ସି. ଅଞ୍ଚଳରେ ଘଟିଛି। ଡକାୟତି କରୁଥିବା ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

Advertisment

ଖବରରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ  ୩ଟା ସମୟରେ ହିନ୍ଦୋଳ ଏନ୍.ଏ.ସି.ର ବିଶ୍ବମ୍ବର ମୁଦୁଲିଙ୍କ ପୁତ୍ର ଗୋବିନ୍ଦ ମୁଦୁଲି (୩୦) ହିନ୍ଦୋଳ କାନାରା ବ୍ୟାଙ୍କରୁ  ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଣ କରି ନିକଟସ୍ଥ ପେଟ୍ରୋଲ ଟାଙ୍କିଙ୍କୁ ନିଜ ସ୍କୁଟିରେ ପେଟ୍ରୋଲ ପକାଇବା ପାଇଁ ଯାଉଥିଲେ। ନିଜ ନାମରେ ଆସିଥିବା ଆବାସ ଯୋଜନାର ଟଙ୍କା ଉଠାଇଥିଲେ ସେ। ଠିକ୍ ସେତିକି ବେଳେ ଏକ ଲାଲ ବୁଲେଟରେ ୩ଜଣ ଗୋବିନ୍ଦଙ୍କୁ ପିଛା କରିଥିଲେ।

ହିନ୍ଦୋଳ କାନାରା ବ୍ୟାଙ୍କ ପେଟ୍ରୋଲ ଟାଙ୍କି ଭିତରେ ଥିବା ଶ୍ମଶାନ ପାଖରେ ଲାଲ ବୁଲେଟରେ  ୩ଜଣ ଯୁବକ ଏକ ଧାରୁଆ ଅସ୍ତ୍ର ଦେଖାଇ ଗୋବିନ୍ଦଙ୍କୁ ଅଟକାଇ ମାରି ଦେବାର ଧମକ ଦେଖାଇଥିଲେ। ବୁଲେଟ ଚାଳକ ହେଲେମେଟ୍ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ମୁଁହରେ ମୁଖା ଲଗେଇ ଥଲେ। ସେମାନେ ଓଡ଼ିଆରେ କହୁଥିବା ବେଳେ ପ୍ରଥମେ ମୋବାଇଲଟି ଛଡ଼ାଇ ନେଇ ଥିଲେ। ପରେ ସ୍କୁଟି ଡିକିରେ ଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଛଡ଼ାଇ ନେଇ ଅନୁଗୁଳ ଆଡ଼କୁ ପଳାଇଥିଲେ।

ଏହି ଘଟଣା ସ୍ପଷ୍ଟ ଦିବାଲୋକରେ ଘଟିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ହୋଇଛି। ଘଟଣା ଘଟିବା ପରେ ପୁଲିସ ତତ୍ପର ହୋଇ ପଡ଼ିଛି। ମାତ୍ର ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଡକାୟତି କରିଥିବା ଦୁର୍ବୃତ୍ତମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇ ପାରି ନାହିଁ।