ବ୍ୟବସାୟୀଙ୍କ ଘରୁ ୭ ଲକ୍ଷ ଟଙ୍କା ଓ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଢେଙ୍କାନାନାଳ ଜିଲ୍ଲା ପରଜଙ୍ଗ ଥାନା ସାଦନପଡ଼ାର ଜଣେ ବ୍ୟବସାୟୀଙ୍କ ଘରେ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ ହୋଇଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ସୁନା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରେ ପଶିଥିଲେ। ସେମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରି ଘରେ ଥିବା ନଗଦ ୭ ଲକ୍ଷ ଟଙ୍କା ଓ ୧୫ ଲକ୍ଷର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଘରର ଶିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ। ସେତେବେଳେ ବ୍ୟବସାୟୀ ବିନୟ ସାହୁ କିନ୍ତୁ ଘରେ ନଥିଲେ। ସେମାନେ ପରେ ଘରର ସମସ୍ତ ଆସବାବପତ୍ର ଓ ଲକର ଖୋଲି ଲୁଟି ନେଇଥିଲେ ଟଙ୍କା ଓ ସୁନା, ରୁପା ଗହଣା। ପରଜଙ୍ଗ ଥାନାରେ ଏନେଇ ଅଭିଯୋଗ ହେବା ପରେ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାଡ ପକ୍ଷରୁ ତଦନ୍ତ ଜାରି ରହିଛି। ଏକ ବଡ଼ ଚୋର ଗ୍ୟାଙ୍ଗ ଏହି ଲୁଟରେ ସାମିଲ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର