ଫାଣ୍ଡିଠାରୁ ଶହେ ମିଟର ଦୂରରେ ଡକାୟତି : କଟୁରିରେ ହାଣି ୨ ଲକ୍ଷ ଟଙ୍କା ଲୁଟ୍‌

କାମାକ୍ଷାନଗର/ପଣ୍ଡୁଆ : ଢେଙ୍କାନାଳ ଅନ୍ତର୍ଗତ ତୁମୁସିଂହା ଥାନା ପଣ୍ଡୁଆ ଫାଣ୍ଡିଠାରୁ ମାତ୍ର ଶହେ ମିଟର ଦୂରରେ ଏକ ବଡ଼ଧରଣର ଲୁଟ୍‌ ହୋଇଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ପଶି ପରିବାର ସଦସ୍ୟଙ୍କୁ କଟୁରିରେ ଆକ୍ରମଣ କରି ନଗଦ ୨ ଲକ୍ଷ ଟଙ୍କା ଓ ୧୩ ଭରି ଓଜନର ସୁନାଗହଣା ଲୁଟି ନେଇଛନ୍ତି। ଫାଣ୍ଡି ନିକଟରେ ସଂଘଟିତ ଏହି ସଶସ୍ତ୍ର ଡକାୟତି ଘଟଣା ଆଖପାଖ ଅଂଚଳରେ କେବଳ ଆଲୋଡ଼ନ ସୃଷ୍ଟି କରିନାହିଁ; ବରଂ ପୁଲିସ ପାଇଁ ଏକ ଶକ୍ତ ଚାଲେଞ୍ଜ ହୋଇଛି।

ଅବସରପ୍ରାପ୍ତ ଶିକ୍ଷକ ହେଉଛନ୍ତି ସୁଦର୍ଶନ ସାହୁ। ଗତକାଲି ସେସୁର ଲାଇନ୍‌ମ୍ୟାନ୍‌ ବୋଲି ପରିଚୟ ଦେଇ ୫ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ମୁଖା ପିନ୍ଧିଥିଲେ। ଏହାପରେ ସେମାନେ କଟୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଭୟଭୀତ ହୋଇ ମନୋଜ ତୁରନ୍ତ ଆଲମିରା ଚାବି ବଢ଼ାଇ ଦେଇଥିଲେ। ଦୁର୍ବୃତ୍ତମାନେ ସେଥିରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟିବା ପରେ ପରିବାର ଲୋକଙ୍କୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ। ରାତି ୧୧ଟା ଭିତରେ ଲୁଟପାଟ୍‌ କରି ସେମାନେ ଚମ୍ପଟ ମାରିଥିଲେ।

ମନୋଜ କବାଟ ଭାଙ୍ଗି ବାହାରକୁ ଆସି ଫାଣ୍ଡିରେ ଜଣାଇଥିଲେ। ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଓ ୧୩ ଭରିରୁ ଅଧିକ ସୁନା ଗହଣା ନେଇଯାଇଥିବା ସୁଦର୍ଶନ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର