ମାଟ୍ରିକ୍ ପରୀକ୍ଷା: ପ୍ରଥମ ଦିନରେ କପିକରି ଧରାପଡ଼ିଲେ ୧୦
ଚିରୁଳେଇରେ ପ୍ରଶ୍ନପତ୍ର ପ୍ରଘଟ ଚର୍ଚା:ପରୀକ୍ଷା କେନ୍ଦ୍ରରେ ଜିଲ୍ଲାପାଳ:ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ଚର୍ଚା: ପରୀକ୍ଷାକେନ୍ଦ୍ରରେ ବିଇଓଙ୍କ ତଦନ୍ତ
ଢେଙ୍କାନାଳ : ଆଜି ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲାରେ ୧୦ ଜଣ ପରୀକ୍ଷାର୍ଥୀ କପିକରି ଧରାପଡିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଥିଲା ମାତୃଭାଷା ପରୀକ୍ଷା। ପରୀକ୍ଷାର୍ଥୀମାନେ ସକାଳ ୯ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ସେମାନଙ୍କୁ ଯାଞ୍ଚ କରି ଭିତରକୁ ଛଡ଼ାଯାଇଥିଲା। ଆଜି ଦାଣ୍ଡିମାଳ ହାଇସ୍କୁଲ୍ କେନ୍ଦ୍ର ଓ ଭୁବନ ସରକାରୀ ବାଳିକା ହାଇସ୍କୁଲ୍ କେନ୍ଦ୍ରରେ ଜଣେ ଲେଖାଏଁ କାଶିଆଡିହ ଲୋକନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୨ଜଣ, କୁଆଳୋ ଅଷ୍ଟଶମ୍ଭୁ ବିଦ୍ୟାନିକେତନ ଓ କାଙ୍କଡସୋଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରରେ ୩ ଜଣ ଲେଖାଏଁ -ଏପରି ୧୦ ଜଣ ପରୀକ୍ଷାର୍ଥୀ କପିକରି ଧରାପଡିଥିବା ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ସୂଚନା ଦେଇଛନ୍ତି ।
ଅନ୍ୟ ପକ୍ଷରେ ଗଁଦିଆ ବ୍ଲକ୍ ଯୋରନ୍ଦା ସ୍ଥିତ ସୁଦର୍ଶନ ବିଦ୍ୟାଭବନ ଚିରୁଳେଇରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଚର୍ଚା ହୋଇଥିଲା। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବୋର୍ଡ ପକ୍ଷରୁ ଆଇଟି ଟିମ୍ ଚିରୁଳେଇ ସୁଦର୍ଶନ ବିଦ୍ୟାଭବନରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ପ୍ରମାଣ ପାଇଛନ୍ତି ବୋଲି ଜଣାପଡ଼ିଛି । ତେବେ ବୋର୍ଡ ପକ୍ଷରୁ ମୋ ପାଖକୁ କୌଣସି ଲିଖିତ ନିର୍ଦେଶ ଆସି ନାହିଁ । ନିର୍ଦ୍ଦେଶ ମିଳିବା ପରେ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ଆଜି ଅନୁଗୁଳ ଉଚ୍ଚ ବିଦ୍ୟାଳୟ, ସରକରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ମାଟ୍ରିକ୍ ପରୀକ୍ଷା ତଦାରଖ କରିଛନ୍ତି। ବିଶେଷ କରି ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ପାନୀୟ ଜଳଯୋଗାଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ଦିଆଯାଉଛି କି ନାହିଁ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଉପଜିଲ୍ଲାପାଳ, ତହସିଲଦାର ଓ ବିଡ଼ିଓଙ୍କୁ ନେଇ ୧୧ଟି ସ୍କ୍ବାଡ୍ ଗଠନ କରାଯାଇଛି। ପରୀକ୍ଷା ସୁପରିଚାଳନାରେ ୮୫ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ ୧୦୫ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ନିୟୋଜିତ ହୋଇଛନ୍ତି। ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ନିରଂଜନ ସାହୁ ଉପସ୍ଥିତ ଥିଲେ।
କାମାକ୍ଷାନଗର: ଯେତେ କଡ଼ା ନିୟମ କଲେ ବି କାଟୁକରୁନାହିଁ। ଆଜି ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଚର୍ଚା ହୋଇଛି। ଘଟଣା ପ୍ରଘଟ ପରେ କାମାକ୍ଷାନଗର ଟାଉନର ଏକ ପରୀକ୍ଷା କେନ୍ଦ୍ରରେ ବିଇଓ ତଦନ୍ତ କରି ଫେରିଛନ୍ତି। ନିୟମ ମୁତାବକ ପରୀକ୍ଷା ଚାଲିଥିବା ସେ ସଫେଇ ଦେଇଥିଲେ ବି ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଥିଲା ମାତୃଭାଷା। ପରୀକ୍ଷା ଆରମ୍ଭ ହେବାର ପାଖାପାଖି ୨୦ ମିନିଟ୍ ପରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା କାମାକ୍ଷାନଗର ଅଞ୍ଚଳରେ ଚର୍ଚା ହୋଇଥିଲା। ଏହାର ତଦନ୍ତ ପାଇଁ ପରୀକ୍ଷା ଶେଷ ହେବାର ୨୦ ମିନିଟ୍ ପୂର୍ବରୁ କାମାକ୍ଷାନଗର ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ କାମାକ୍ଷାନଗର ବିଇଓ ଅଜୟ ପାତ୍ର ଓ ପର୍ଜଙ୍ଗ ବିଇଓ ହରିହର ଦେହୁରୀ ପହଞ୍ଚିଥିଲେ। ସେଠାରୁ ଫେରିବା ପରେ ବିଇଓ ଶ୍ରୀ ପାତ୍ର କହିଛନ୍ତି ବୋର୍ଡ଼ ନିୟମ ଅନୁଯାୟୀ ଏଠାରେ ପରୀକ୍ଷା ଚାଲିଛି। ପରୀକ୍ଷା ପରିଚାଳନା କରୁଥିବା କୌଣସି ଶିକ୍ଷକଙ୍କ ମୋବାଇଲ୍ ଫୋନ୍ ଆଣିନଥିଲେ। କେବଳ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ମୋବାଇଲ୍ ଫୋନ୍ ଆଣିଥିଲେ। ପରୀକ୍ଷା ଶେଷ ପରେ ପରୀକ୍ଷାର୍ଥୀମାନଙ୍କୁ ଯାଞ୍ଚ କରାଯାଇଥିଲା। କାହା ପାଖରେ ମୋବାଇଲ୍ ଫୋନ୍ ନଥିବା ଜଣାପଡ଼ିଛି। ଏଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇନାହିଁ। ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦେଶ କ୍ରମେ ସେ ତଦନ୍ତ ପାଇଁ ଆସିଥିଲେ ବୋଲି ଶ୍ରୀ ପାତ୍ର କହିଛନ୍ତି। ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ପ୍ରଚାରିତ ହେବା ପରେ କାମାକ୍ଷାନଗର ଥାନାଧିକାରୀ ଜ୍ଞାନ ରଂଜନ ସାମଲ ଏହି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସେ ମଧ୍ୟ କହିଛନ୍ତି ଏଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇନାହିଁ। ଏଠାରେ ୪ ଜଣ ପୁଲିସ ମୁତୟନ କରାଯାଇଥିବାବେଳେ ଜଣେ ଏସ୍ଆଇ ପ୍ରତି ଅଧଘଣ୍ଟାରେ ପାଟ୍ରୋଲିଂ କରୁଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଏହିକେନ୍ଦ୍ରରେ ପରୀକ୍ଷା ପରିଚାଳିତ ହେଉଥିବା ଶ୍ରୀ ସାମଲ ପ୍ରକାଶ କରିଛନ୍ତି। ତେବେ ପିଲାମାନଙ୍କ ଜୀବନ ସହ ଯିଏ ବି ଖେଳୁଛି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଅନେକ ଅଭିଭାବକ ପ୍ରକାଶ କରିଛନ୍ତି।