କାମାକ୍ଷାନଗର: ବୁଧବାର ବିଳମ୍ବିତ ରାତ୍ରିରେ ଚୋରି ଘଟଣାରେ ସଂପୃକ୍ତ ଜଣେ ନାବାଳକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭିତରୁ ଚମ୍ପଟ ମାରିଛି। ତିନିଜଣ ପୁଲିସ କର୍ମଚାରୀ ଜଗିଥିବା ସତ୍ତ୍ବେ ସେ ଖସିଯିବାରେ ସଫଳ ହୋଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ହୋଇଥିବାବେଳେ ନିଜ ଦାୟିତ୍ବ ପ୍ରତି ପୁଲିସ କେତେ ସଚେତନ ତାହା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, କାମାକ୍ଷାନଗର ଏନ୍ଏସି ମୁଣ୍ଡିଦେଉଳି ଅଞ୍ଚଳର ଅର୍ଜୁନ ଖୁଣ୍ଟିଆଙ୍କ ଘରୁ ଗତ ୨ ତାରିଖ ରାତିରେ କିଛି ସୁନା ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି ହୋଇଥିଲା। ତାଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର ୭୩/୨୦୧୯ ଦଫା ୪୫୭, ୩୮୦ରେ ଏକ ମାମଲା ରୁଜୁ କରିଥିଲା। କାମାକ୍ଷାନଗର ଏନ୍ଏସି ଅଞ୍ଚଳର ଜଣେ ୧୬ ବର୍ଷ ବୟସ୍କ ନାବାଳକ ଏହି ଚୋରିରେ ସଂପୃକ୍ତ ଥିବା ପୁଲିସ ସଂଦେହ କରିଥିଲା। ଗତକାଲି ସଂଧ୍ୟାରେ ଉକ୍ତ ନାବାଳକକୁ ଥାନାକୁ ଆଣି ପୁଲିସ ପଚରାଉଚରା କରିବା ସହ ତାହାଠାରୁ ପୂଜା ସାମଗ୍ରୀ ଉଦ୍ଧାର କରିଛି। ଅଧିକ ତଦନ୍ତ ପାଇଁ ଥାନା ଭିତରେ ଥିବା ମହିଳା, ଶିଶୁ ଅଭିଯୁକ୍ତଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ଗତକାଲି ରାତିରେ ସଂପୃକ୍ତ ନାବାଳକକୁ ରଖାଯାଇଥିଲା। ଜଣେ କନେଷ୍ଟବଳ ଓ ଦୁଇଜଣ ହୋମ୍ଗାର୍ଡ ମୁତୟନ ହୋଇଥିଲେ। ଉକ୍ତ ପ୍ରକୋଷ୍ଠ ସଂଲଗ୍ନ ପାଇଖାନା ଏକଜିଟ୍ ଫ୍ୟାନ୍ ଭଙ୍ଗାଯାଇଥିବା ଓ ନାବାଳକ ଜଣକ ସେଠାରେ ନଥିବା ଅାଜି ସକାଳେ ଜଣା ପଡ଼ିଥିଲା। ଗତ ଦଶହରା ଭସାଣି ରାତିରେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଓ ଉପଖଣ୍ଡ ବିଚାର ବିଭାଗୀୟ ମାଜିେଷ୍ଟ୍ରଟ୍ଙ୍କ ସରକାରୀ ବାସଭବନ ସ୍କାଏଲାଇଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ବି ନାବାଳକ ଜଣକ ସଂପୃକ୍ତ ଥିବା ପୁଲିସ କରୁଥିଲା। ନାବାଳକ ବିରୋଧରେ ଗତ ବର୍ଷ କାମାକ୍ଷାନଗର ଥାନାରେ ୩ଟି ମାମଲା ଥିବା ବେଳେ ଚଳିତ ବର୍ଷ କଙ୍କଡ଼ାହାଡ଼ ଥାନାରେ ଗୋଟିଏ ମାମଲା ରହିଛି। ସେ ଥାନାରୁ ଫେରାର ହୋଇଯିବାରୁ ଆଜି ପୁଲିସ ଆଉ ଏକ ମାମଲା ରୁଜୁକରିଛି। ନାବାଳକକୁ ରଖାଯାଇଥିବା କୋଠରିକୁ ଲାଗି କମୋଡ ପାଇଖାନା ଥିଲା। ସେଥିରେ ଚଢ଼ି ଫ୍ୟାନ୍ ଭାଙ୍ଗି ଅଭିଯୁକ୍ତ ପଳାଇଯାଇଥିବା ପୁଲିସ ସଂଦେହ କରିଛି। ତେବେ ଗତକାଲି ରାତିରେ ପୁଲିସ ହେପାଜତରୁ ଅଭିଯୁକ୍ତ ଜଣକ ଖସିଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଏ ସଂପର୍କରେ ଥାନାଧିକାରୀ ନିରଂଜନ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ଉପରୋକ୍ତ କୋଠରିରେ ରଖାଯାଇଥିଲା। ତାକୁ ଜଗିବା ପାଇଁ ଜଣେ କନେଷ୍ଟବଳ ଓ ଦୁଇଜଣ ହୋମ୍ ଗାର୍ଡ ମୁତୟନ ହୋଇଥିଲେ। ଏହି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସେ ଜଣାଇଛନ୍ତି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।
ଥାନାରୁ ନାବାଳକ ଚମ୍ପଟ
/sambad/media/post_attachments/wp-content/uploads/2019/04/dhenk-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)