ହାତୀ ଆକ୍ରମଣରେ ନାବାଳକ ମୃତ

ଯୋରନ୍ଦା: ହାତୀ ଆକ୍ରମଣରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ ଯୋରନ୍ଦା ବନପାଳଙ୍କ ଅଧୀନ ଆରୁହାଁ ଗ୍ରାମଠାରେ କାଜୁ ବଣରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳକ ହେଲେ କାଶୀପୁର ଗ୍ରାମର ପପୁ ମଳିକ (୧୨)।

ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୦ଟା ସମୟରେ ଆରୁହାଁ -ଡାଳସିହାଁ ଗ୍ରାମ୍ୟ ରାସ୍ତା ପାର୍ଶ୍ବରେ ଥିବା କାଜୁ ବଣକୁ କାଜୁ ଗୋଟାଇବାକୁ ଯାଇଥିବା ବେଳେ ପପୁ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଆରୁହାଁ ଗ୍ରାମର ଚରଣ ମଳିକଙ୍କ ନାତି ପପୁ ଛୁଟିରେ ନିଜ ଗ୍ରାମ ଗଁଦିଆ ବ୍ଲକ କାଶୀପୁରରୁ ଆସି ଅଜା ଘରେ ରହୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ହାତୀ ପପୁକୁ ମାରିବା ପରେ ସେହି ସ୍ଥାନ ଛାଡ଼ି ଯାଉନାହିଁ । ଫଳରେ ବନବିଭାଗ ନୟାନ୍ତ ହୋଇ ଗଲେଣି। ଯୋରନ୍ଦା ବନପାଳ କର୍ମଚାରୀମାନେ ଘଟଣାସ୍ଥଳକୁ ଜଗି ରହିବା ସହିତ ଜନସାଧାରଣଙ୍କୁ ସତର୍କ କରାଉଛନ୍ତି।

ସମ୍ବନ୍ଧିତ ଖବର