ବିବାହକୁ ନା, ମୁକୁଳିଲେ ନାବାଳିକା

ଢେଙ୍କାନାଳ: କାମାକ୍ଷାନଗର ବ୍ଲକ ମୋଟା ଗାଁର ଜଣେ ୧୪ବର୍ଷୀୟା ନାବାଳିକାଙ୍କୁ ଜବରଦସ୍ତ ବିବାହ ବନ୍ଧନରେ ବାନ୍ଧି ଦେବାକୁ ପରିବାର ଲୋକେ ପ୍ରସ୍ତୁତି କରୁଥିବା ବେଳେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ବାହାଘରକୁ ବନ୍ଦ କରିଛି। ନାବାଳିକାଙ୍କୁ ପରିବାର କବଳରୁ ଉଦ୍ଧାର କରି ସ୍ୱଧାର ଗୃହକୁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପରିବାର ଲୋକେ ଆସନ୍ତା ୪ତାରିଖ ଦିନ କାଦୁଆ ଶାସନର ଜଣେ ପୁରୁଷଙ୍କ ସହିତ ନାବାଳିକାଙ୍କ ବିବାହ ସ୍ଥିର କରିଥିଲେ। ମାତ୍ର ଦୁଇ ଦିନ ପରେ ବାହାଘର କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଥିଲା। ଏଥିପାଇଁ ଝିଅ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ମଧ୍ୟ ଜମିଥିଲା। କୌଣସି ସୂତ୍ରରୁ ଖବର ପାଇ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଅନୁରାଧା ଗୋସ୍ୱାମୀ, ଶିଶୁ ସୁରକ୍ଷା କମିଟି ସଦସ୍ୟ ଭାବଗ୍ରାହୀ ପଣ୍ଡା, ଶାନ୍ତି ମିଶ୍ର, କାମାକ୍ଷାନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କୃଷ୍ଣପ୍ରିୟା ପାଣିଗ୍ରାହୀ ଗାଁରେ ପହଞ୍ଚି ବାହାଘର ବନ୍ଦ କରିଥିଲେ। ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରି ଢେଙ୍କାନାଳ ସ୍ଥିତ ସ୍ୱଧାର ଗୃହରେ ରଖାଯାଇଛି। ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତି ଗୋସ୍ୱାମୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର