ମୋ ସ୍କୁଲ୍‌ ଅଭିଯାନ କର୍ମଶାଳା:ଯୌନ ନିର୍ଯାତନା ଦେଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମୋ ସ୍କୁଲ୍‌ ଅଭିଯାନ କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଯୋଗଦେଇ ସ୍କୁଲ୍‌ରେ ଶିକ୍ଷକ ବା କର୍ମଚାରୀ ପିଲାଙ୍କୁ ଯୌନ ନିର୍ଯାତନା ଦେବା ଦୃଷ୍ଟିକୁ ଆସିଲେ ତାଙ୍କ ବିରୋଧରେ ତତ୍‌କାଳ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଧ୍ୟାନ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମାର୍ଜିତ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ମୋ ସ୍କୁଲ ଅଭିଯାନର ରାଜ୍ୟ ସଂଯୋଜକ ଅମରଜିତ୍‌ ଜେନା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଅଭିଯାନ ସଫଳ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ା କହିବା ସହ ୫୦ ଓ ୧୦୦ ବର୍ଷର ସ୍କୁଲ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ୬ରୁ ୯ ବର୍ଷର ପିଲାମାନେ ଯେପରି ପଡ଼ା ନ ଛାଡନ୍ତି ତା ଉପରେ ଗୁରୁତ୍ୱ ଦେବା ସହ ସ୍କୁଲ୍‌ରେ ଛାତ୍ରୀଙ୍କ ପରିସ୍ରାଗାରର ରକ୍ଷଣାବେକ୍ଷଣ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ପାଠ୍ୟ ପୁସ୍ତକ, ସୁରକ୍ଷା ପ୍ରଭୃତି ସଂପର୍କରେ ଶିକ୍ଷାଧିକାରୀ ଶ୍ରୀ ପରିଡା ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ସଦର ବିଇଓ ନିତ୍ୟାନନ୍ଦ ବାରିକଙ୍କ ସମେତ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ପ୍ରଧାନ ଶିକ୍ଷକ, ସମ୍ବଳ କେନ୍ଦ୍ର ସଂଯୋଜକ କର୍ମଶାଳାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର